ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ: ମୁଁ କାହିଁକି ଦଳ ଛାଡ଼ିବି? ମୁଁ ବିଜେଡ଼ିକୁ ଭଲ ପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ପାଇଁ ଉଦ୍ୟମ କରୁଛି

ଭୁବନେଶ୍ବର: ‘‘ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ। ମୋର ଦଳ ଛାଡିବାର ନାହିଁ।। ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? ମନ୍ତ୍ରୀଙ୍କ ପରାମର୍ଶ କ’ଣ ବେଦର ଗାର?’’ ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏଭଳି କଡା ପ୍ରତିକ୍ରିୟା ଦେଇଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆଜି ସୌମ୍ୟରଂଜନ ‘ସମ୍ବାଦ’ରେ ଦୁଇ ସପ୍ତାହ ପୂର୍ବରୁ ଲେଖିଥିବା ସଂପାଦକୀୟ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ପ୍ରସଙ୍ଗରେ ବୟାନ ଦେଇ କହିଥିଲେ ଯେ ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ଉକ୍ତ ଦଳ ବିରୁଦ୍ଧରେ ବା ସରକାରଙ୍କ ବିରୁଦ୍ଧରେ କି ସରକାରଙ୍କ ନୀତି ବିରୁଦ୍ଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଅମୂଳକ । ଏହାକୁ ବ୍ଲାକମେଲିଂ ବୋଲି କୁହାଯିବ । ସେ ଦଳରୁ ବାହାରି ଯାଇ ସମାଲୋଚନା କରନ୍ତୁ।

ମନ୍ତ୍ରୀ ଶ୍ରୀ ଦେବଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ସୌମ୍ୟରଂଜନ। ସେ କହିଛନ୍ତି, ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି କିନ୍ତୁ ତାଙ୍କ କଥା କ’ଣ ବେଦର ଗାର କି ? ମୁଁ ତିନିଟି ଭୂମିକା(ଖବରକାଗଜ ପ୍ରକାଶକ, ସମ୍ପାଦକ ଓ ବିଜେଡି କର୍ମୀ)ରେ ଅଛି, ତେଣୁ ଦ୍ଵନ୍ଦ୍ବ ରହିବା ସ୍ୱାଭାବିକ | ଯେହେତୁ ବିଜେଡ଼ିକୁ ଭଲ ପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ ମଧ୍ୟ ଅଛି | ସେହିପରି ସୌମ୍ୟ ଯୁକ୍ତି ବାଢ଼ିଛନ୍ତି- ମୁଁ କାହିଁକି ଦଳ ଛାଡ଼ିବି? ସେମାନଙ୍କର ନିଲମ୍ବନ ଅଧିକାର ଅଛି, ସେମାନେ ଯାହା କରିବେ।’

ତାଙ୍କର ବୟାନରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ  ଯଦି ସୌମ୍ୟଙ୍କର କୌଣସି କଥାକୁ ନେଇ ଅସନ୍ତୋଷ ଅଛି ବା ପରାମର୍ଶ ଅଛି, ତେବେ ତାହା ଦଳୀୟ ଫୋରମରେ ଆଲୋଚନା ହୋଇପାରିବ।  ଏହାର ଜବାବରେ ସୌମ୍ୟ ପଚାରିଛନ୍ତି- ଦଳୀୟ ଫୋରମ କେଉଁଠି ଅଛି ? ଦଳୀୟ ଫୋରମ୍ ତୃତୀୟ ମହଲାରେ ଅଛି କି ? ଦରମା ପାଉଥିବା ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଅନୁଚିତ। ଜଣେ ଦୁଇଜଣ ଆଇଏଏସ୍ ଅଫିସର ଦଳ ସମ୍ଭାଳିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି | ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି ତେବେ ସଚିବ ଇସ୍ତଫା ଦେଇ ଆସନ୍ତୁ। ଚାକିରି ଛାଡି ରାଜନୀତି କଲେ କୌଣସି ଆପତ୍ତି ନାହିଁ।

ଏହାସହ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ସୌମ୍ୟ କହିଛନ୍ତି,  ସିଏମଓ ଲୋକଙ୍କ ପାଖକୁ ଆସିଛି ବୋଲି କୁହାଗଲା। କିନ୍ତୁ ସିଏମଓରୁ ତ ଆଉ କେହି ଯାଉନାହାନ୍ତି, କ’ଣ ସେହି ଜଣେ ଲୋକ ଅଛନ୍ତି, ଯିଏ ସିଏମଓ କଥା ବୁଝୁଛନ୍ତି, ସରକାରୀ କଥା ବୁଝୁଛନ୍ତି, ସାଧାରଣ ଲୋକଙ୍କ ସୁଖଦୁଃଖ କଥା ବୁଝୁଛି। ଏହା କ’ଣ ସାଧାରଣ ଲୋକଙ୍କ ପାଇଁ ଅପମାନଜନକ ନୁହେଁ କି? ସେଥିପାଇଁ ତ ଲେଖିଥିଲି ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’। ମନ୍ତ୍ରୀଙ୍କ ଦ୍ୱାରା ଶାଗ ସିଝିବନି, ସେମାନେ ଅସହାୟ ବୋଲି ଉତ୍ତର ଦେଉନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଶ୍ୱାସ କରୁନାହାନ୍ତି। କେବଳ ଜଣେ ଲୋକ ଅଛି ଯାହା ଉପରେ ସେ ବିଶ୍ୱାସ କରୁଛନ୍ତି। ଏତେ କ୍ଷମତା, ଏତେ ସମର୍ଥନ ଦେଖିଲେ ଯେ କେହି ବି ବିଭୋର ହୋଇଯିବ। ତାହା ତ ସମ୍ପାଦକୀୟରେ ଲେଖିଛି।

ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି ଯେ, ଭିଡ଼ିଓ ବାର୍ତ୍ତାରେ ଅସ୍ପଷ୍ଟ ଭାଷାରେ କହିବେ ମୁଁ ପଠାଉଛି ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ। ଏଭଳି ଶାସନ ଉପରେ ବିଶ୍ୱାସ କରିବା କି? ମୁଖ୍ୟମନ୍ତ୍ରୀ ଭାଗ୍ୟବାନ ବ୍ୟକ୍ତି ଯେ, ଓଡ଼ିଶାବାସୀ ତାଙ୍କୁ ଶ୍ରଦ୍ଧା, ଆଶୀର୍ବାଦ ଓ ସମର୍ଥନ ଦେଇଛନ୍ତି ତାହା ପୂର୍ବରୁ କେହି ପାଇ ନଥିଲେ କି ଭବିଷ୍ୟତରେ କେହି ପାଇବେ ନାହିଁ। ଏହି ସ୍ନେହ, ଶ୍ରଦ୍ଧାର ଉତ୍ତର କଣ ଭିଡ଼ିଓ ବାର୍ତ୍ତା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ।

ଏହା ପୂର୍ବରୁ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ସୌମ୍ୟବାବୁ ଜଣେ ଶିକ୍ଷିତ ଓ ଜ୍ଞାନୀ ଗୁଣି ଲୋକ। ତାଙ୍କୁ ଉପଦେଶ ଦେବା ମୋର କିଛି ଦରକାର ନାହିଁ। ସେ ବିଜୁ ଜନତା ଦଳର ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି। ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି। ନିର୍ଦ୍ଦିଷ୍ଟ କେଉଁ ବ୍ୟକ୍ତି ବିଶେଷ ଯାଉନାହିଁ। ମୁଖ୍ୟମନ୍ତ୍ରୀ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଏତେସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଓ ସରକାରଙ୍କୁ ସମାଲୋଚନା କରିବା ବିଲକୁଲ ସମୀଚିନ ନୁହେଁ ଓ ଏହା ସମ୍ପୂର୍ଣ୍ଣ ଭୁଲ୍। ଦଳୀୟ ପ୍ଲାଟଫର୍ମରେ ରହି ଏକ ପାଖିଆ ଭାବରେ ସୌମ୍ୟ ବାବୁ ସବୁକଥାରେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ ଆମେ ବ୍ଲାକମେଲିଂ ବୋଲି କହିବା।

Spread the love