ଜଳିଗଲା ୪୦ ଶ୍ରମିକ ସେଡ୍‌, ଅଳ୍ପକେ ବର୍ତ୍ତିଲେ ୯୬୦ ଶ୍ରମିକ

କଟକ: ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି କଣ୍ଟେନର୍‌ (ଅସ୍ଥାୟୀ ଗୃହ)ରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍‌ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି। ତେବେ କଣ୍ଟେନର୍‌ରେ ରହୁଥିବା ସମସ୍ତ ୯୬୦ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ କଟକ ବଡ ମେଡିକାଲ ଏମ୍ସ ପ୍ଲସ୍‌ କାର୍ଯ୍ୟର ଠିକା ନେଇଥିବା ଏଲ୍‌ ଆଣ୍ଡ ଟି ସଂସ୍ଥା ନିଜର ଶ୍ରମିକମାନଙ୍କୁ ନଜରପୁରସ୍ଥିତ ମୁଖାର୍ଜୀ କ୍ୟାମ୍ପସ୍‌ ମଧ୍ୟରେ କଣ୍ଟେନର୍‌ ଗୃହରେ ରଖୁ୍ଥିଲା। ପ୍ରତି କଣ୍ଟେନର୍‌ରେ ୨୪ ଜଣ ଲେଖାଏ କରି ମୋଟ ୯୬୦ଜଣ ଶ୍ରମିକ ଏଥିରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ଅନ୍ୟମାନେ କଣ୍ଟେନର୍‌ ମଧ୍ୟରେ ରହିଥିଲେ।

ରାତି ପ୍ରାୟ ସାଢେ ସାତଟା ବେଳେ ନିଆଁ ଲାଗିଥିବା ବେଳେ ଖବର ପାଇ ଚାଉଳିଆଗଞ୍ଜରୁ ୨ଟି ଏବଂ ଚୌଦ୍ୱାରରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଶ୍ରମିକମାନଙ୍କ ଆସବାବପତ୍ର ଜଳିପୋଡ଼ି ଯାଇଥିବା​ ସୂଚନା ମିଳିଛି। ଅଗ୍ନିକାଣ୍ଡ ଘଟିବା ବେଳେ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ବାହାରି ଆସିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବରପାଇ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର୍‌ ନିଖିଲ ପୱନ କଲ୍ୟାଣ, ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ ପ୍ରମୁଖ ପହଞ୍ଚି ଥିଲେ।

Spread the love