୨ ହଜାର ଟପିଲା ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା

ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପିଛି । ଏପର୍ଯ୍ୟନ୍ତ ୨ହଜାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୂମିକମ୍ପର ପ୍ରଭାବ ପ୍ରାୟ ୭୨ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଅନେକ ଭଙ୍ଗା କୋଠା ତଳେ ଫସି ରହିଛନ୍ତି । ଅନେକ କୋଠା ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ସବୁପ୍ରକାର ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଦଳ ।

ଏସବୁ ଭିତରେ ମୃତ୍ୟ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପରେ ଧରାଶାୟୀ ହୋଇପଡିଛି ଆଫ୍ରିକୀୟ ଦେଶ । ମରୋକ୍କୋ ସମୟ ଗତ ଗୁରୁବାର ରାତି ପାଖାପାଖି ୧୧ଟା ଓ ଭାରତୀୟ ସମୟ ରାତି ୩ଟା ୪୧ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଆମେରିକାର ଭୌଗୋଳିକ-ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଗୁରୁବାର ରାତି ୧୧ଟା ୧୧ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୬.୮ । କିଛି ସେକେଣ୍ଡ ପାଇଁ ଝଟକା ଅନୁଭୂତ ହୋଇଥିଲା । ଏହାର ୧୯ ମିନିଟ ପରେ ଆଉ ଏକ ଭୂମିକମ୍ପର ଝଟକା ଲାଗିଥିଲା ।

ତେବେ ଏହା ଅପେକ୍ଷାକୃତ ଦୁର୍ବଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୯ ମପାଯାଇଥିଲା । ତେବେ ମରୋକ୍କୋ ର ନିଜସ୍ୱ ଭୂମିକମ୍ପ ଗବେଷଣା ସଂସ୍ଥା ପ୍ରଥମ ଭୂମିକମ୍ପର ତୀବ୍ରତା ୭ ପଏଂଟ ରହିଥିଲା ବୋଲି କହିଛି । ପ୍ରାୟ୬୦ ବର୍ଷ ଭିତରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ । ମରୋକ୍କୋରେ ଭୂମିକମ୍ପ କମ୍ ଘଟିଥାଏ । ୧୯୬୦ର ଏଠାରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Spread the love