୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓବାଦୀ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତିନି ଜଣ ମାଓବାଦୀ ହେଲେ ମାଓନେତ୍ରୀ କମଳା, କମ୍ପାନି ସଦସ୍ୟ ଦେବା ଓ ଡିଏକେଏମଏସ୍ ସଦସ୍ୟ ସନ୍ନୁ। ଛତିଶଗଡ ସରକାରଙ୍କ ପୁନାନାର୍କାମ ଅଭିଯାନରେ ପ୍ରଭାବିତ ହୋଇ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ ପ୍ରକାଶ କରିଛି। ହାର୍ଡକୋର ମହିଳା ମାଓନେତ୍ରୀ କମଳା ମାଓବାଦୀମାନଙ୍କ ବାଟାଲିଆନ୍ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ସୁକୁମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ କିଛି ବର୍ଷ ଧରି ସକ୍ରିୟ ଭାବେ ସଂଗଠନରେ କାର୍ଯ୍ୟ କରୁଥିଲେ। ସେ ପୂର୍ବରୁ ଏଲଏସଓ ନାଗାରାମ ସହିତ କାମ କରୁଥିଲେ, ୨୦୧୮ ମସିହା ପରେ ସେ ବାଟାଲିଆନ୍ ପ୍ଲାଟୁନ କମାଣ୍ଡର ସନବତୀର ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ଏହାପରେ ୨୦୨୨ ମସିହାରୁ ବାଟାଲିଆନ୍ ସଦସ୍ୟ ୨ ନମ୍ବର କମ୍ପାନିର ୧ ନମ୍ବର ପ୍ଲାଟୁନରେ ସେକ୍ସନ ସଦସ୍ୟ ଭାବେ କାମ କରୁଥିଲେ। ତାଙ୍କ ନାମରେ ପୁଲିସ ପକ୍ଷରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏଥିସହ ଦେବା ବାଟାଲିଆନ୍ କମ୍ପାନୀର ସଦସ୍ୟ ଭାବେ କାମ କରୁଥିବା ବେଳେ ସନ୍ନୁ ଡିଏକେଏମଏସ୍ ସଦସ୍ୟ ଭାବେ କାମ କରୁଥିଲେ। ଜାଗରଗୁଣ୍ଡା ଥାନା ଅଞ୍ଚଳରେ ଦେବା ଓ ସୋନ୍ନୁର ଘର ଅଟେ। ଏହି ୩ ଜଣ ମାଓବାଦୀ ପୁଲିସ ଉପରକୁ ଆକ୍ରମଣ, ରେକି କରିବା ସହିତ ଅନ୍ୟାନ ମାଓ ହିସାଂରେ ଜଡିତ ଥିଲେ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି। ତିନି ଜଣଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଟଙ୍କା ପ୍ରଦାନ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Spread the love