ଠିକା ନିଯୁକ୍ତି ନୁହେଁ, କରାଯାଉ ନିୟମିତ ନିଯୁକ୍ତି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ତା.୧୧/୦୯: ଗତକାଲି ରାଜ୍ୟ ସରକାର ରାଜ୍ୟର ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ବିଜୁ ଜନତା ଦଳ ସରକାରରେ ମାଲିକ ସାଜିଥିବା ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଛନ୍ତି ଏହା ହେଉଛି ତାହାର ପ୍ରମାଣ । ୫-ଟି ଟ୍ରାନ୍ସିମିସନ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ଯଦି ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି ତାହାଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି । ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ । ପୁନଃ ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ । ତାହାଲେ ପୁଣି ଗତକାଲିର ଏହି ଠିକା ନିଯୁକ୍ତି ନିଷ୍ପତି କାହାର? ସରକାର ଯେଉଁକଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ ଘୋଷଣା ପ୍ରତିଶ୍ରୁତି ଦେବାରେ ରେକର୍ଡ କରିଛି । ତୁରନ୍ତ ସରକାର ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ସହିତ ସେହି ୨୦,୦୦୦ହଜାର ଶିକ୍ଷକ ପଦବୀରେ ନିୟମିତ ନିଯୁକ୍ତି କରିବା ପାଇଁ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ବର୍ତମାନ ସରକାର ଲିଜ୍‌ରେ ଚାଲିଛି ବୋଲି ଓଡ଼ିଶାର ଲୋକେ ଭାବୁଛନ୍ତି । ଏହି ଲିଜ୍‌ରେ ଚାଲିଥିବା ସରକାର ଭାବିଛନ୍ତି ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଲିଜ୍‌ରେ ଚଲାଇବେ । ଏହା କଦାପି ବଦଦାସ୍ତ କରାଯାଇ ପାରିବ ନାହିଁ । ଯଦି ୫-ଟି ସଚିବଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚରେ ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ତାହାଲେ ଗରିବ ଓଡ଼ିଆ ପିଲାଙ୍କ ଶିକ୍ଷାଦାନ ପାଇଁ କାହିଁକି ସରକାର ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ? ସରକାରଙ୍କ ଭୁଲ୍ ନିଷ୍ପତି ପାଇଁ ୪ଦିନ ହେବ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯାହା ଫଳରେ ବିଦ୍ୟାଳୟ ଶିକ୍ଷାପ୍ରଦାନ ବ୍ୟବସ୍ଥା ପ୍ରଭାବିତ ହେଉଛି । ଏହା କଣ ସରକାରଙ୍କ ଆଖିକୁ ଦେଖାଯାଉ ନାହିଁ କି? ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ସରକାର ନିଜେ ଦାୟୀ । ଓଡ଼ିଶାରେ ଶିକ୍ଷକମାନଙ୍କୁ ଯେତିକି କ୍ୟାଟାଗୋରିରେ ବିଭକ୍ତ କରାଯାଇଛି ତାହା ବୋଧହୁଏ ଆଉ କେଉଁ ରାଜ୍ୟରେ ନଥିବ । ମଇ ୬, ୨୦୨୧ରେ ମାନ୍ୟବର ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଏକଥା ମଧ୍ୟ କହିଥିଲେ ଯେ, ସରକାର ପ୍ରାଥମିକ ଶିକ୍ଷାକୁ ନେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ସେହି ଟିପ୍ପଣୀ ପରେ ମଧ୍ୟ ଟିକିଏ ହେଲେ ବି ସୁଧୁରିଲେ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
୨୦୧୯-୨୦ରୁ ୨୦୨୨-୨୩ ୪ବର୍ଷ ଭିତରେ ଓଡ଼ିଶାରେ ୨୧,୦୦୦ ଶିକ୍ଷକ ଚାକିରୀରୁ ଅବସର ନେଲେଣି । ସେହି ପଦବୀରେ ଆଉ ନୂଆ ନିଯୁକ୍ତି କରାଯାଇ ନାହିଁ । ସେମାନେ ସମସ୍ତେ ନିୟମିତ ପଦରେ ଥିଲେ । ନିୟମ ଅନୁସାରେ ଖାଲି ହେଉଥିବା ନିୟମିତ ଶିକ୍ଷକ ପଦବୀରେ ହେବାକୁ ଥିବା ନିଯୁକ୍ତି କେବଳ ନିୟମିତ ପଦବୀ ଭାବରେ ହିଁ କରାଯିବ । ହେଲେ ଏବେ ସେହି ପଦବୀରେ ଠିକା ଶିକ୍ଷକ ନିଯୁକ୍ତି ଦେବା ପାଇଁ ଅଧିକାର ଦେଲା କିଏ? ୧ବର୍ଷ ପରେ ସେହି ପଦବୀରେ ନିଯୁକ୍ତି ପାଇଥିବା ୨୦ହଜାର ଶିକ୍ଷକଙ୍କ ଭାଗ୍ୟ କ’ଣ ହେବ । ସରକାର ଚାହାଁନ୍ତି ସେମାନେ ପୁଣି ଲୋଏର ପିଏମ୍‌ଜିରେ ଧାରଣା ଦିଅନ୍ତୁ, ଦରମା ପାଇଁ କାର୍ଯ୍ୟ ବନ୍ଦ କରନ୍ତୁ କି? ଆଜିର ଦିନରେ ସରକାର ନିଜେ କହୁଛନ୍ତି ଓଡ଼ିଶା ଏକ ଆର୍ôଥକ ସ୍ଥିତିରୁ ବଳକା ରାଜ୍ୟ । ତାହାଲେ କାହିଁକି ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି ଦିଆଯାଉଛି । ଏମାନେ ମାସକୁ ମାତ୍ର ୧୧ହଜାର ଟଙ୍କାରେ ସେମାନଙ୍କର ପରିବାର ପ୍ରତିପୋଷଣ କରିପାରିବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଓଡିଶାରେ ଚଳିତବର୍ଷ ୪୦ହଜାର ପିଲା ମ୍ୟାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ସାରା ଦେଶରେ ସ୍କୁଲ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ହୋଇଥିବା “ଫର୍‌ଫର୍‌ମାନ୍ସ ଇଣ୍ଡେକ୍ସ”ରେ ଓଡ଼ିଶାର ସ୍କୁଲ ଖରାପ ସୂଚକାଙ୍କରେ ଆସୁଛି । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନଙ୍କ ସର୍ବନିମ୍ନ ଅଧିକାରକୁ ନେଇ ଶିକ୍ଷକମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ହେଲେ ସରକାର ମାତିଛନ୍ତି ପିଲାମାନଙ୍କ ପୋଷାକ ଓ ସ୍କୁଲକାନ୍ଥ, ବାଡକୁ ଦଳୀୟ ରଙ୍ଗ କରିବାରେ । ଉଚ୍ଚଶିକ୍ଷାରେ ଓଡିଶାର ସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ଜାତୀୟସ୍ତରରେ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଅଣଓଡ଼ିଆ ଅଧିକାରୀମାନେ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଗତକାଲି ପ୍ରକାଶ କରିଥିବା ଠିକା ନିଯୁକ୍ତିର ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ସହ ସେହି ପଦରେ ନିୟମିତ ଶିକ୍ଷକନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ, ନହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେନେଇ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Spread the love