ସନାତନ ଧର୍ମ ବିରୋଧୀଙ୍କୁ ଡେଙ୍ଗୁ-ଏଡସ ହୋଇଯାଉ: ସାଧ୍ବୀ ପ୍ରଜ୍ଞା

ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନଙ୍କ ପୁଅ ଉଦୟନିଧି ଷ୍ଟଲିନ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେବା ପରଠାରୁ ବିବାଦରେ ରହିଛନ୍ତି। ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଥିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି। ‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ  ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ଦଳର ନେତା ତାଙ୍କୁ ବିରୋଧ କରିଥିବା ବେଳେ ଏବେ ମଧ୍ୟପ୍ରଦେଶର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “ସନାତନ ଧର୍ମକୁ ଉଚ୍ଛେଦ କରିବାର ଶକ୍ତି କାହାର ନାହିଁ। ଯେଉଁମାନେ ସନାତନ ଧର୍ମକୁ ଏଡସ୍, ଡେଙ୍ଗୁ ଏବଂ କୁଷ୍ଠରୋଗ ସହିତ ତୁଳନା କରୁଛନ୍ତି, ସେମାନେ ଏହି ରୋଗର ସୁଖ ଉପଭୋଗ କରନ୍ତୁ ବୋଲି ମୁଁ ଅଭିଶାପ ଦେଉଛି।”

ଏହା ସହ ଅଭିନେତା ପ୍ରକାଶ ରାଜଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ଧର୍ମ ଏବଂ ଦେଶ ବି‌ରୋଧରେ କହିବାର ଅଭ୍ୟାସ ତାଙ୍କର ଅଛି। ସେ କ’ଣ କହୁଛନ୍ତି ତାହା ବୁଝିପାରୁ ନାହାନ୍ତି। ସେ ଜଣେ ନାୟକ ନୁହନ୍ତି, ଖଳନାୟକ। ଦ୍ୱିତୀୟ କଥା ହେଉଛି ସନାତନ ଧର୍ମକୁ ଶେଷ କରିବାର ଶକ୍ତି କାହାର ନାହିଁ।”

ଉଲ୍ଲେଖଯୋଗ୍ୟ, ଉଦୟନିଧି କହିଥିଲେ ଯେ, “ସନାତନ ଧର୍ମକୁ ଖାଲି ବିରୋଧ କଲେ ଚଳିବ ନାହିଁ, ଉଚ୍ଛେଦ କରିବାକୁ ପଡ଼ିବ। ମଶା, ଡେଙ୍ଗୁଜ୍ବର, ମେଲେରିଆ, କରୋନା ଆଦିକୁ ବିରୋଧ କରାଯାଇ ପାରିବ ନାହିଁ। ସେସବୁ ବିଲୋପ କରିବାକୁ ପଡ଼ିବ। ସନାତନ ମଧ୍ୟ ସେହିପରି। ବିରୋଧ ନୁହେଁ ସନାତନ ବିଲୋପ ଆମର ମୁଖ୍ୟ କାର୍ଯ୍ୟ ହେବା ଉଚିତ।”

Spread the love