ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ମୁରସିଂ ୟୁପିସ୍କୁଲରେ ବର୍ଷେ ତଳେ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଶିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମାମଲାରେ ପୂର୍ଣ୍ଣଛେଦ ପଡ଼ିଛି। ଶୁକ୍ରବାର ଏହି ମାମଲାର ବିଚାର କରି  ଗିରଫ ହୋଇଥିବା ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କୁ ବଲାଙ୍ଗୀର ପୋକ୍ସୋ ଅଦାଲତ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ୨୦୨୨ ଅଗଷ୍ଟ ୨୨ ତାରିଖ ଦିନ ମୁରସିଂ ସ୍କୁଲ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ତାଙ୍କ ଅବିଭାବକ ନିକଟରେ ଅଭିଯୋଗ କରିଥିଲେ ଯେ ପ୍ରଧାନଶିକ୍ଷକ ତାଙ୍କ ପାଖକୁ ଡାକି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପରିବାର ଲୋକେ ଦୁଇଦିନ ପରେ ଅର୍ଥାତ ୨୪ ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଭ୍ୟଙ୍କୁ ଜଣାଇଥିଲେ। ୨୫ ତାରିଖ ଦିନ ସ୍କୁଲରେ ଏହି ଅଭିଯୋଗକୁ ନେଇ ଆଲୋଚନା ହୋଇଥିଲା। ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ଦାବି କରି ଶହ ଶହ ଅବିଭାବକ ସ୍କୁଲକୁ ଧସେଇ ପଶିଥିଲେ। ଶିକ୍ଷା ଅଧିକାରୀ ଆସି ନିଲମ୍ବନ ନିର୍ଦେଶ ଦେବା ପରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଥାନାକୁ ନେଇଥିଲା। ପରେ ତାଙ୍କୁ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା।

Spread the love