ସ୍କୁଲରେ ତାଲା ପକାଇଲେ ଠିକାଦାର: ବାକିରେ ୫-ଟି ସ୍କୁଲ ରୂପାନ୍ତର

ଫୁଲବାଣୀ: ବାକିରେ ୫-ଟି ସ୍କୁଲ୍‌ ନିର୍ମାଣ କରି ବାହାଦୁରି ନେଇଥିବା ଫୁଲବାଣୀ ବ୍ଲକ୍‌ ପ୍ରଶାସନକୁ ମହଙ୍ଗା ପଡ଼ିଛି। ସ୍କୁଲ୍‌ ନିର୍ମାଣ ଦେୟ ବାକି ଥିବାରୁ ୫-ଟି ସ୍କୁଲରେ ତାଲା ପକାଇ ଦେଇଛନ୍ତି ୨ ଠିକାଦାର। ଫଳରେ ଆଜି ଦିନତମାମ୍‌ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ବାହାରେ ପାଠ ପଢ଼ାଇବାକୁ ପଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବିଶିପଡ଼ା ଶ୍ରୀଦେବୀ ଉଚ୍ଚବିଦ୍ୟାଳୟରେ।
ସୂଚନା ଅନୁସାରେ ଏହି ସ୍କୁଲ୍‌ଟିକୁ ୫-ଟି ରୂପାନ୍ତରଣରେ ସାମିଲ କରାଯାଇଥିଲା। ସ୍କୁଲ୍‌ ଉଦ୍‌ଘାଟନ ହେବା ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଦୁଇ ଠିକାଦାରଙ୍କ ୩୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବାକି ପଡ଼ିଛି। ଟଙ୍କା ନ ମିଳିବାରୁ ଆଜି ଠିକାଦର ଭଗବାନ ସାହୁ ଏବଂ ଗୋପବନ୍ଧୁ ସାହାଣୀ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସ୍କୁଲରେ ତାଲା ପକାଇ ଦେଇଥିଲେ। ପ୍ରାୟ ୪ ଘଣ୍ଟା ପରେ ଫୁଲବାଣୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଦିଗାଲ ସ୍କୁଲରେ ପହଞ୍ଚି ୨ ଠିକାଦାରଙ୍କ ବକେୟା ଟଙ୍କା ଆସନ୍ତା ୧୦ ଦିନ ମଧ୍ୟରେ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲରୁ ତାଲା ଖୋଲିଥିଲେ ୨ ଠିକାଦାର। ସ୍କୁଲ ପରିସରରେ ଏଭଳି ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଧାନ ଶିକ୍ଷକ ଭଗବାନ ସାହୁ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Spread the love