ଅକ୍ଟୋବର ୧୩ରେ ନିଲାମ ହେବ ଚିନିକଳ

ନିଲାମ ହେବ ବଡମ୍ୱା ଚିନିକଳ ସମ୍ପତ୍ତି। ଅକ୍ଟୋବର ୧୩ରେ ନିଲାମ ହେବ ଚିନିକଳ। ସିଡିଏ ସେକ୍ଟର -୭ ସ୍ଥିତ ଋଣ ଅସୁଲ ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ବଡ଼ମ୍ବା ସୁନାପାଳ ସ୍ଥିତ ଲକ୍ଷ୍ମୀପତି ବାଲାଜୀ ସୁଗାର ଆଣ୍ଡ ଡିପ୍ସିଲେରସ୍ ପ୍ରାଇଭେଟ୍ ଲିମିଟେଡ୍ ଚିନିକଳକୁ ନିଲାମ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ୫ ହଜାର ଚାଷୀଙ୍କ ଅଂଶଧନରେ ୧୯୮୪ରେ ଗଢି ଉଠିଥିବା ଏହି ବଡ଼ମ୍ବା ଚିନିକଳ ଦୀର୍ଘ ଦିନ ଧରି ତାଲା ପଡ଼ି ରହିବା ପରେ ଏବେ ନିଲାମ ହେବାକୁ ଯାଉଛି। ଏ ସଂପର୍କିତ ଇସ୍ତାହାର ପୁନଃ ଚିନିକଳ ସମ୍ମୁଖରେ ଲଗାଯାଇଛି। ଏହି କମ୍ପାନି ୟୁନିଅନ୍ ବ୍ୟାଙ୍ଗ୍ ଅଫ୍ ଇଣ୍ଡିଆ, ମୁମ୍ବାଇ ନରିମାନ ପଏଣ୍ଟ ଶାଖାରୁ ୩୬୯ କୋଟି ୫ ହଜାର ୯୬୫ ଟଙ୍କା ଋଣ ଆଣିଥିଲା। କିନ୍ତୁ ଋଣ ପରିଶୋଧ କରି ନ ପାରିବାରୁ ଏବେ ବନ୍ଧା ରହିଥିବା ପ୍ଳାଣ୍ଟ ଓ ଅବଶିଷ୍ଟ ମେସିନକୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ଏହାର ର ନିଲାମ କରାଯିବା ନେଇ ନିଲାମ ଇସ୍ତାହାରରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା ଓ ଅମାନତ ରାଶି ୭୫ ଲକ୍ଷ ୯୦ ହଜାର ଟଙ୍କା ରହିଛି। ସୂଚନାଯୋଗ୍ୟ, ୧୯୮୪ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ।

ବଡମ୍ବା ନରସିଂହପୁର ବ୍ଳକର ୪୮୮୧ ଚାଷୀଙ୍କ ୮ କୋଟି ୧୩ ଲକ୍ଷ ଟଙ୍କାର ଅଂଶଧନ ସଂଗ୍ରହ କରାଯାଇ ଏହି ଦିନ କଳ ପ୍ରତିଷ୍ଠା କରାଯାଇଥିଲା। ଏବେ ଏହା ନିଲାମ ହେବାକୁ ଯାଉଥିବା ବେଳେ ୫ ହଜାର ଚାଷୀଙ୍କ ଅଂଶଧନର ଭବିଷ୍ୟତ କ’ଣ ହେବ ? ପୂର୍ବରୁ ପ୍ରାପ୍ୟ ପାଇ ନଥିବା କର୍ମଚାରୀ ସେମାନଙ୍କ ପ୍ରାପ୍ୟ ପାଇବେ କି ନାହିଁ ? ବୋଲି ଏବେ ଆନ୍ଦୋଳନ ଦାନା ବାନ୍ଧୁଚି।

Spread the love