ପୁଲିସକୁ ଅଷ୍ଟମଶ୍ରେଣୀ ଛାତ୍ରର ଧମକ, ‘ଶ୍ରୀ ରାମମନ୍ଦିରକୁ ବୋମାରେ ଉଡ଼ାଇ ଦେବି’

ଲକ୍ଷ୍ନୌ: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବ‌ୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ କଲ ପୁଲିସକୁ ଆସିଥିଲା। ୧୧୨ ନମ୍ବରକୁ ଆସିଥିବା ଏଭଳି ଫୋନ କଲ ପରେ  ପୁଲିସ ଓ ପ୍ରଶାସନର ନିଦ ହଜି ଯାଇଥିଲା। ସେମାନେ ଯୁଦ୍ଧକାଳୀନଭିତ୍ତିରେ ଛାନଭିନ ଆରମ୍ଭ କରିଥିଲେ।   ତଦନ୍ତରେ ଇଣ୍ଟେଲିଜେନ୍ସ ବିଭାଗ ଟିମ ଏବଂ ସାଇବର ସେଲ ଟିମ ବି ତୁରନ୍ତ ସାମିଲ ହୋଇଥିଲେ।

ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ତଦନ୍ତ କରାଯାଇଥିଲା। ଏହାପରେ ଜଣାପଡ଼ିଲା କି ବରେଲିର ଫତେହଗଞ୍ଜ ପଶ୍ଚିମ ପୁଲିସ ଷ୍ଟେସନ ନିକଟସ୍ଥ ଗ୍ରାମର ନିବାସୀ ଗିରିଶ ନାମରେ ନମ୍ବର ପଞ୍ଜୀକୃତ ହୋଇଥିଲା। ଗିରିଶଙ୍କ ନିକଟରେ ପୁଲିସ ପହଞ୍ଚିବା ପରେ ଜଣାପଡ଼ିଲା କି ତାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବର ତାଙ୍କ ଘର ନିକଟରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବ୍ୟବହାର କରୁଛି। ଏହାପରେ ପୁଲିସ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅଟକ ରଖି ପଚାଉଚରା କରିଥିଲା।

ପୁଲିସ ସାମ୍ନାରେ ଛାତ୍ର ଜଣକ କହିଥିଲା, ‘ମୁଁ ୟୁଟ୍ୟୁବରୁ ଏକ ଭିଡିଓ ଦେଖିଥିଲି। ଯେଉଁଥିରେ ସେପ୍ଟେମ୍ବର ୨୧ ତାରିଖରେ ଶ୍ରୀରାମ ମନ୍ଦିରକୁ ଉଡ଼ାଇ ଦେବାକୁ କୁହାଯାଉଥିଲା। ତେଣୁ ଏହି ସୂଚନା ମୁଁ ଉତ୍ତରପ୍ରଦେଶର ୧୧୨କୁ କଲ କରି ଦେଇଥିଲି।’

ଏହି ଘଟଣାରେ ପୁଲିସ ଆଗକୁ ବି ତଦନ୍ତ ଜାରି ରଖିଛି। କାରଣ ଉକ୍ତ ଛାତ୍ର ଜଣକ କେତେ ସତ କେତେ ମିଛ କହୁଛି ସେ ଦିଗରେ ପୁଲିସ ତଦନ୍ତ କରୁଛି। ଏଥିସହିତ ଏହି ଘଟଣା ପଛରେ ଆଉ କାହାର ହାତ ଅଛି କି ନାହିଁ ତାହା ବି ଯାଞ୍ଚ କରୁଛି ପୁଲିସ।

Spread the love