ଦୁଇ ମାସରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ

ବଲାଙ୍ଗୀର: ସୁନ୍ଦରଗଡ଼ ପରେ ଚିନ୍ତା ବଢାଇଲା ବଲାଙ୍ଗୀର। ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ। ଗତ ଅଗଷ୍ଟ ମାସରେ ୧୭୨ ଓ ସେପ୍ଟେମ୍ବର ମାସରେ ଏଯାଏ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବର୍ଷାକାଳୀନ ରୋଗ। ଆଗରୁ ଏହା ଥିଲା। ପୁଣି ଏହି ରୋଗ ଫେରିଛି। ଏଥିଲାଗି ଭୟଭୀତ ନ ହୋଇ ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ନିଅନ୍ତୁ। ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି। ଜିଲ୍ଲାରେ କେତେକ ଆକ୍ରାନ୍ତ ଏବେ ବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କେତେକ ସୁସ୍ଥ ହୋଇ ଘରକୁ ଗଲେଣି।

ଏଣେ ସୁନ୍ଦରଗଡ଼ରେ  ବର୍ତ୍ତମାନ ସୁଦ୍ଧା  ସୁନ୍ଦରଗଡ଼ରେ ୨୨୧ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ ଏହା ବୃଦ୍ଧି ପାଇ ୨୨୧ରେ ପହଞ୍ଚିଛି। ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ୟୁ ହୋଇଥିବାବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି।

ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଥିବା, ଆବଶ୍ୟକ ପଡ଼ିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। କିନ୍ତୁ ଏ ସଚେତନତା କେବଳ କାଗଜପତ୍ରରେ, ବାସ୍ତବରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଏଯାଏ ଏ ରୋଗ ସମ୍ପର୍କରେ ବିଶେଷ ସୂଚନା ପହଞ୍ଚି ନଥିବା ଜଣାପଡିଛି।

Spread the love