ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଁଚାଇବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ତା.୨୩/୦୯: ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଏହି ବିଷୟକୁ ଭାରତର ଘରେ ଘରେ ପହଁଚାଇବା । ଓଡ଼ିଶାର ୫୦ ହଜାର ଗାଁରେ ମଧ୍ୟ ସାଧାରଣ ସଭା କରି ମୋଦିଜୀଙ୍କର ଏହି ଐତିହାସିକ ବାର୍ତାକୁ ପହଁଚାଇବା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ଭାରତର ପ୍ରଥମ ରାଜନୈତିକ ଦଳ ଯିଏ ୧୯୯୪ ମସିହାରେ ଗୁଜୁରାଟର ଭଡୋଦରାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଏକ ଆନୁଷ୍ଠାନିକ ସଂକଳ୍ପ ଗୃହୀତ କରିଥିଲା ଏବଂ ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ଦାବି କରିଥିଲା । ଆମ ସରକାର ସବୁବେଳେ ମହିଳାଙ୍କୁ ଜନପ୍ରତିନିଧିତ୍ୱ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚେଷ୍ଟା କରିଆସିଛି ଏବଂ ଏହି ଅଧିନିୟମକୁ ସବୁବେଳେ ସମର୍ଥନ କରିଆସିଛି । ବିଜେପି ସରକାର ଆସିବା ପୂର୍ବରୁ ୧୯୯୬ରେ ଏଚ.ଡି. ଦେବଗୌଡ଼ା ସରକାରରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ୮୧ତମ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଥିଲା । ଏହାକୁ ଗୃହରେ ବିଜେପି ସମର୍ଥନ ଦେଇଥିବା ବେଳେ ଅନ୍ୟ ଦଳ ମାନଙ୍କର ସମର୍ଥନ ନମିଳିବା କାରଣରୁ ବିଫଳ ହେଲା । ଏହା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ୧୯୯୮ ଓ ୧୯୯୯ରେ ଦୁଇ ଥର ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ସିଟ୍ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ କ୍ରମାଗତ ୮୪ତମ ଓ ୮୫ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ । ପ୍ରଥମ ବିଲରେ ବିରୋଧୀ ମେଂଟ ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟି ବିରୋଧ କରିବା କାରଣରୁ ଅଭାବବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତୀ ପର୍ଯ୍ୟାୟରେ ମଧ୍ୟ ବିଫଳ ହେଲା । ୟୁପିଏ ଶାସନ ଚାଲିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର ଏହି ବିଲ୍ ଗୃହରେ ଅଣାଯାଇଥିବା ସତ୍ୱେ ମଧ୍ୟ ଆନ୍ତରିକ ଇଚ୍ଛାଶକ୍ତି ନଥିବା କାରଣରୁ ଲୋକସଭାରେ ପାରିତ ହୋଇପାରିନଥିଲା । ଆଜି ମୋଦି ସରକାରରେ ଯେଉଁମାନେ ମହିଳା ସଂରକ୍ଷଣ ବିଲକୁ ପ୍ରତିବାଦ କରି ବିରୋଧ କରୁଥିଲେ ସେମାନଙ୍କର ଏଥର ସାହାସ ହେଲା ନାହିଁ ।


ଚଳିତବର୍ଷ ଶ୍ରୀଗଣେଶ ପୂଜା, ଆମ ଦେଶ ଓ ପୃଥିବୀ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ଦିନ ଦେଶର ପୁରୁଣା ସଂସଦ ଭବନର ନାମକରଣ ସମ୍ବିଧାନ ସଦନ ହେବା ସହ ନୂଆ ସଂସଦ ଭବନର ପବିତ୍ର କକ୍ଷରେ ଦେଶର ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ଅଧିନିୟମକୁ ମୋଦି ସରକାର ଉପସ୍ଥାପିତ କଲେ ଏବଂ ଦଳ, ମତ ନିର୍ବିଶେଷରେ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ସମର୍ଥନ କଲେ । ମାଆର ସ୍ନେହ, ଶ୍ରଦ୍ଧା ଓ ମାତୃଶକ୍ତିର ସ୍ୱପ୍ନକୁ ସମସ୍ତେ ସମ୍ମାନ କରିଥିବାରୁ ସବୁ ରାଜନୈତିକ ଦଳକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସିଟ୍ ସଂରକ୍ଷିତ ହେବା ଫଳରେ ଆଗାମୀ ଦିନରେ ଓଡ଼ିଶା ଓ ଭାରତବର୍ଷରେ ବିଧାୟକ ଓ ସାଂସଦ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇବ । ଲୋକସଭାରେ ୮୧ ଜଣ ମହିଳା ସାଂସଦ ଥିବା ବେଳେ ଏହି ସଂଖ୍ୟା ବଢି ୧୮୨ ହେବ । ଆମ ରାଜ୍ୟ ଓଡ଼ିଶାରେ ୧୪୭ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ୧୮ ଜଣ ମହିଳା ବିଧାୟିକା ଥିବା ବେଳେ ଏହି ସଂଖ୍ୟା ବଢି ୪୯ ହେବ । ମହିଳା ମାନଙ୍କ କଲ୍ୟାଣ ପାଇଁ ଯୋଜନାବଦ୍ଧ ପ୍ରକ୍ରିୟା ଥିଲା ବେଳେ ଏହାର ଉଚ୍ଚତା ହିମାଳୟର ଶୀର୍ଷକୁ ସେବେ ଟପିଲା ଯେତେବେଳେ ଗଣେଶ ପୂଜାରେ ଏହି ବିଧେୟକ ଉପସ୍ଥାପିତ କରାଗଲା ।


ଲକ୍ଷ୍ମୀ ପୁରାଣ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରତୀକ । କୁନ୍ତଳା କୁମାରୀ ସାବତ, ରମା ଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ ସ୍ୱତନ୍ତ୍ରତା ଆନ୍ଦୋଳନର ଓଡ଼ିଆ ନାରୀ ଶକ୍ତିର ପ୍ରତୀକ । ମହିଳା ସଶକ୍ତିକରଣ ଓଡ଼ିଶାରେ ବହୁତ ଆଗରୁ ରହିଛି । ଓଡ଼ିଶାରେ ଅତୀତରୁ ମହିଳା ସଶକ୍ତିକରଣର ଯେଉଁ ଧାରା ଅଛି, ମୋଦି ସରକାରଙ୍କ ନିର୍ଣ୍ଣୟ ତାହାକୁ ଗତି ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ବିଧେୟକ ଆଗାମୀ ଦିନରେ ଆଇନରେ ପରିଣତ ହେବ । ଏହି ନିଷ୍ପତି ଦ୍ୱାରା କେବଳ ଭାରତର ନୁହେଁ ବିଶ୍ୱର ଗଣତନ୍ତ୍ରିକ ରାଷ୍ଟ୍ର ଗୁଡିକରେ ଏକ ସକରାତ୍ମକ ଜାଗରଣ ତିଆରି ହେବ । ଯେପରି ଅହିଂସାର ପୂଜାରୀ ମାହାତ୍ମା ଗାନ୍ଧିଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଜନକ ବୋଲି ପୃଥିବୀ ସ୍ୱୀକାର କରିଛି । ସେହିପରି ଭାବରେ ବିଶ୍ୱର ଗଣତନ୍ତ୍ର ରାଷ୍ଟ୍ର ଗୁଡିକରେ ଏହି କଥା ଆନ୍ଦୋଳିତ ହେବ । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦କୋଟି ମହିଳା ଜନସଂଖ୍ୟା ଥିବା ବେଳେ ଏହି ପଦକ୍ଷେପ ଆମ ଦେଶର ନାରୀ ଶକ୍ତିକୁ ଏକ ନୂତନ ଶକ୍ତି ପ୍ରଦାନ କରିବ । ମୋଦିଜୀଙ୍କ ନେତୃତ୍ୱରେ ମାତୃଶକ୍ତି ପାଇଁ ପବିତ୍ର ଦୁର୍ଗାପଜାର ଉପହାର ଏହାଠୁ ବଡ କିଛି ହୋଇନପାରେ । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସମ୍ବେଦନଶୀଳ ଏବଂ ନିଷ୍ପତି ନେବାରେ ସକ୍ଷମ ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନ ଅବସରରେ ନିଜ ତରଫରୁ ଦେଶର ମାତୃଶକ୍ତିଙ୍କୁ ଯେଉଁ କୃତଜ୍ଞତା ଜ୍ଞାପନ କରିଛନ୍ତି, ତାଙ୍କୁ ଆମେ ସମସ୍ତେ ଧନ୍ୟବାଦ ଜଣାଇବା ।
ମୋଦି ସରକାରଙ୍କ ବିଗତ ସାଢେ ୯ ବର୍ଷରେ ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ ହୋଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନ, ମୁଦ୍ରା ଲୋନ, ଓଡ଼ିଶାରେ ଏସଏଚଜି ମାନଙ୍କୁ ଅଗ୍ରାଧିକାର ଭିତିିରେ କମ ସୁଧରେ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା ମହିଳାଙ୍କ ସମ୍ମାନକୁ ବଢାଇଛି । ଦେଶର ଏସଏଚଜି ସହ ସଂଶ୍ଲିଷ୍ଟ ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ପାଇଁ କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢାର ଅଖ୍ୟାତ ପଲ୍ଲୀରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଜନଜାତି ସମ୍ପ୍ରଦାୟର ନେତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି ପଦବୀରେ ପ୍ରତିଷ୍ଠିତ କରାଇଛନ୍ତି । ମୋଦି ଅଛନ୍ତି ତ ସବୁ ସମ୍ଭବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା, ମାଆ ଲକ୍ଷ୍ମୀ, ବିମଳା, ମଙ୍ଗଳା ଓ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା ଯେ, ସେ ମୋଦିଜୀଙ୍କୁ ଦୀର୍ଘାୟୁ କରନ୍ତୁ । ସେ ଭଳି ସୁପୁତ୍ର ବାରମ୍ବାର ଭାରତର ମାତାର ସେବା କରିବା ପାଇଁ ଜନ୍ମ ନିଅନ୍ତୁ । ଏହା ଦ୍ୱାରା ଭାରତ ଆଗକୁ ବଢିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଜି ମୋଦି ସରକାରରେ ଗୃହୀତ ହୋଇଥିବା ଏହି ଐତିହାସିକ ବିଲ୍ ଦ୍ୱାରା ଭାରତ ନୂଆ ଗ୍ଲୋବାଲ ବେଞ୍ଚମାର୍କ ତିଆରି କରିଛି । ବିଗତ ଶତାବ୍ଦୀର ଭାରତର ଅନେକ ଗୁଡିଏ ଘଟଣା ହୋଇଛି । ଭାରତର ମହିଳା ମାନଙ୍କର ଅଧିକାରକୁ ଲମ୍ବା ସମୟ ଅଣଦେଖା କରାଯାଇପାରିବ ନାହିଁ । ଏହି ନିଷ୍ପତିକୁ ନେଇ ସାରା ଦେଶ ଆଜି ଉତ୍ସବ ଭାବରେ ପାଳନ କରିବା ଦରକାର । ଯେତେବେଳେ ଆମ ଦେଶ ଭାରତ ବିଶ୍ୱର ବହୁ ପୁରାତନ ଗଣତନ୍ତ୍ରର ମାନ୍ୟତା ପାଇଛି, ଭାରତର ନେତୃତ୍ୱକୁ ବୈଶ୍ୱିକ ସ୍ୱୀକୃତି ମିଳିଛି ସେଭଳି ଏକ ଶୁଭ ମୁହୂର୍ତରେ ଭାରତ ତା’ର ୫୦ ଭାଗ ଜନସଂଖ୍ୟା ତଥା ମାତୃଶକ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ନେବା ଅତ୍ୟନ୍ତ ଗୌରବର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

(ବିଜେପି ମିଡିଆ ସେଲ୍‌)

Spread the love