ବିଦ୍ୟୁତ୍ ଖମ୍ବରେ ପିଟିହେଲା କାର୍‌

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ବମିଖାଲ ଓଭରବ୍ରିଜ୍‌ ତଳେ ଏକ କାର୍‌ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍‌ଟି ଭା‌ଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ତାଙ୍କ ପରିଚୟ ମିଳିପାରି ନାହିଁ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ ରାତି ପ୍ରାୟ ସାଢେ଼ ୧୨ ଟା ବେଳେ କାର୍‌(ଓଡି ୦୨ଏଟି୨୦୬୧) ରସୁଲଗଡ଼ ପଟୁ ଦ୍ରୁତଗତିରେ ଆସୁଥିଲା। ବମିଖାଲ ଓଭରବ୍ରିଜ୍‌ ତଳେ କାର୍‌ଟି ଏକ ବିଦ୍ୟୁତ୍‌ ପୋଲରେ ବାଡ଼େଇ ହୋଇଯାଇଥିଲା। ଫଳରେ କାର୍‌ଟିର ସମ୍ମୁଖ ପୂରା ଭାଙ୍ଗିଯାଇଥିବା ବେଳେ ଗାଡ଼ିଟି ଦୁଇ ଗଡ଼ା ଦେଇ ଓଲଟି ପଡ଼ିଥିଲା। କାର୍‌ର ଛାତ ପୂରା ଉଡ଼ି ଯାଇଥିଲା। ଗାଡ଼ି ଭିତରେ ଚାଳକ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ପ୍ରଥମେ ଚାଳକଙ୍କୁ ଉଦ୍ଧାର କରିଥିଲେ।

Spread the love