ବିବାହ ପାର୍ଟି‌ରେ ଭୟଙ୍କର ଅଗ୍ନିକାଣ୍ଡ, ୧୧୪ ମୃତ

ବାଗଦାଦ: ଇରାକ୍‌ର ସବୁଠୁ ବଡ଼ ଖ୍ରିଷ୍ଟିଆନ ସହରରେ ମଙ୍ଗଳବାର ଏକ ବିବାହ ପାର୍ଟିରେ ଭୟଙ୍କର ଅଗ୍ନିକାଣ୍ଡ ‌ହୋଇ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିନେଭେ ପ୍ରଦେଶର କ୍ବାରାକୋସ୍‌ରେ ଏକ ବଙ୍କେଟ୍‌ ହଲ୍‌ରେ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ମଣ୍ଡପରେ ଦହନଶୀଳ ସାମଗ୍ରୀ ଥିବାରୁ ଖୁବ୍‌ ଶୀଘ୍ର ନିଆଁ ଚା‌ରିଆଡ଼େ ବ୍ୟାପି ଯାଇଥିଲା। ଏପରିକି ହଲ୍‌ର ସିଲିଂରେ ନିଆଁ ଲାଗି ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ୯୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୨୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କୁହାଯାଉଛି, ଅତି ନିମ୍ନ ମାନର ନିର୍ମାଣ ପାଇଁ ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ବିଲ୍ଡିଂର ସିଲିଂ ଜଳି ଖସି ପଡ଼ିଥିଲା।

ଏହି କାରଣ ପାଇଁ ଏତେ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ‌ହୋଇଯାଇଛି। ବର-କନ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ଅନଲାଇନ୍‌ରେ‌ ପୋଷ୍ଟ୍‌ ହୋଇଥିବା ଫୁଟେଜ୍‌ରେ ଦମ୍ପତିଙ୍କୁ ନିଆଁ ଲାଗିବାର ମାତ୍ର କିଛି ସମୟ ପୂର୍ବରୁ ଡାନ୍ସ ଫ୍ଲୋର୍‌ରେ ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ସେମାନେ ବାହାରକୁ ଦୌଡ଼ି ଆସିବାରେ ସକ୍ଷମ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବିବାହ ପାର୍ଟିରେ ୩୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଉକ୍ତ ଘଟଣା ପାଇଁ ଇରାକରେ ୩ ଦିନ ଜାତୀୟ ଶୋକ ଘୋଷଣା କରାଯାଇଛି।

Spread the love