ବାଇକ୍‌ ଆରୋହୀ ଦଂପତିଙ୍କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ଗୁରୁବାର ଅପରାହ୍‌ଣରେ ଦୁର୍ଘଟଣା ଘଟିଛି। ଟ୍ରକ୍‌ ସହିତ ବାଇକ୍‌ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ମାନେହେଲେ ବିଶୋଇ ବ୍ଲକ ଦେଉଳସାହିର ରବିନାରାୟଣ ଦାଶ (୪୮) ଓ ପତ୍ନୀ ରେବତୀ ଦାଶ(୪୦)।
ମୟୂରଭଂଜ ଜିଲ୍ଲା ଝାରପୋଖରିଆ ପାର୍ଶ୍ବରୁ ଏକ ଟ୍ରକ୍‌ ୪୯ ନମ୍ବର ଜାତୀୟ ରାଜପଥରେ ଦୁଆରଶୁଣୀ ଅଭିମୁଖେ ଯାଉଥିଲା। ଅପରପକ୍ଷେ ଜିଲ୍ଲାର ବିଶୋଇ ପଟରୁ ବାରିପଦାକୁ ବାଇକ୍‌ରେ ଦଂପତି ଯାଉଥିଲେ। ‌ଦୁଆରଶୁଣି ଘାଟିରେ ଟ୍ରକ୍‌ ସହିତ ବାଇକ୍‌ ଆରୋହୀ ଦଂପତିଙ୍କର ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣା ନେଇ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ଚିକିତ୍ସା ପାଇଁ ଗୁରୁତର ଦଂପତିଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତାରେ ଶହଶହ ଗାଡ଼ି ଲାଇନ୍‌ରେ ରହିଛି।

ସୂଚନାଯୋଗ୍ୟ, ଦୁଆରଶୁଣୀ ଘାଟିରେ ଯାନବାହନ ଦୁର୍ଘଟଣା ଘଟିବା ନୂଆକଥା ନୁହେଁ। ବିଭିନ୍ନ କାରଣରୁ ପ୍ରାୟତଃ ସବୁବେଳେ ଦୁର୍ଘଟଣା ଘଟୁଛି। ଘାଟି ରାସ୍ତାରେ ଚାଳକମାନେ ଭୌଗଳିକ ଅବସ୍ଥା ଜାଣି ନପାରିବା କାରଣରୁ ଅଧିକାଂଶ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଇଥାଏ।

Spread the love