ଚୀନ୍ ହ୍ୟାକର ଆମେରିକା ବୈଦେଶିକ ବିଭାଗର ୬୦ ହଜାର ଇମେଲ୍ ଚୋରି କରିଛନ୍ତି: ସିନେଟ୍ କର୍ମଚାରୀ

ୱାସିଂଟନ: ଚଳିତ ବର୍ଷ ଚୀନ୍ ହ୍ୟାକରମାନେ ଆମେରିକା ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ୍ ଚୋରି କରିବାରେ ସଫଳ ହୋଇଛନ୍ତି ବୋଲି ସିନେଟ୍‌ର ଜଣେ କର୍ମଚାରୀ ବୁଧବାର କହିଛନ୍ତି। ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଯେ ବୈଦେଶିକ ବିଭାଗର ୧୦ଟି ଆକାଉଣ୍ଟରୁ ୬୦,୦୦୦ ଇମେଲ୍ ଚୋରି ହୋଇଛି। ଏହି ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୯ ଜଣ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କାମ କରୁଥିଲେ ଏବଂ ଜଣେ ୟୁରୋପରେ କାମ କରୁଥିଲେ ବୋଲି କର୍ମଚାରୀ ଜଣକ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଇମେଲ ଜରିଆରେ ସୂଚନା ଦେଇଛନ୍ତି। କର୍ମଚାରୀ ଜଣକ ସିନେଟର ଏରିକ୍ ସ୍କ୍ମିଟଙ୍କ ପାଇଁ କାମ କରନ୍ତି।

ଆମେରିକୀୟ ଅଧିକାରୀ ଏବଂ ମାଇକ୍ରୋସଫ୍ଟ ଜୁଲାଇରେ କହିଥିଲେ ଯେ, ମେ ମାସରୁ ଚୀନ୍‌ର ହ୍ୟାକରମାନେ ଆମେରିକାର ବାଣିଜ୍ୟ ଓ ବୈଦେଶିକ ବିଭାଗ ସମେତ ପ୍ରାୟ ୨୫ଟି ସଂସ୍ଥାର ଇମେଲ୍ ଆକାଉଣ୍ଟକୁ ଆକ୍‌ସେସ୍ କରିଛନ୍ତି। ଏହି ହ୍ୟାକିଂ ପଛରେ ଚୀନ୍‌ର ହାତ ଥିବା ଜଣାପଡ଼ିବା ପରେ ଦୁଇ ଦେଶ ମଧ୍ୟରେ ପୂର୍ବରୁ ଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଅଧିକ ତିକ୍ତ ହୋଇଛି। କିନ୍ତୁ ବେଜିଂ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ହ୍ୟାକରମାନେ ମାଇକ୍ରୋସଫ୍ଟ ଇଞ୍ଜିନିୟରଙ୍କ ଡିଭାଇସକୁ ହ୍ୟାକ୍ କରିଥିଲେ, ଯାହାଦ୍ୱାରା ସେମାନେ ବୈଦେଶିକ ବିଭାଗର ଇମେଲ୍ ଆକାଉଣ୍ଟକୁ ହ୍ୟାକ୍ କରିପାରିଥିଲେ।

Spread the love