ସ୍କଟ୍‌ଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ଦାଦାଗିରି: ଭାରତୀୟ ହାଇକମିସନରଙ୍କୁ ଗୁରୁଦ୍ବାରାରେ ପୂରାଇ ଦେଲେନି

ଲଣ୍ଡନ: ବ୍ରିଟେନରେ ଅବସ୍ଥାପିତ ଭାରତର ହାଇକମିସନର ବିକ୍ରମ ଦୋରାଇସ୍ବାମୀଙ୍କୁ ଶୁକ୍ରବାର ଦିନ ସ୍କଟଲାଣ୍ଡର ଏକ ଗୁରୁଦ୍ବାରାରେ ପ୍ରବେଶକୁ ବଳପୂର୍ବକ ରୋକାଯାଇଛି। କିଛି କଠୋରପନ୍ଥୀ ଖଲିସ୍ତାନୀ ସମର୍ଥକ ଦୋରାଇସ୍ବାମୀଙ୍କୁ ଗୁରୁଦ୍ବାରାରେ ପ୍ରବେଶ ପୂର୍ବରୁ ବଳପୂର୍ବକ ଅଟକାଇଥିଲେ ଓ ଦୁର୍ବ୍ୟବହାର କରିଥିଲେ। ଦୋରାଇସ୍ବାମୀଙ୍କର ଗ୍ଲାସ୍‌ଗୋ ଗୁରୁଦ୍ବାରା କମିଟି ସହ ଆଲବର୍ଟ ଡ୍ରାଇଭ୍‌ରେ ଏକ ବୈଠକ ଥିଲା। ଗୁରୁଦ୍ବାରା ନିକଟରେ ସେ ପହଞ୍ଚିବାବେଳେ ତାଙ୍କୁ କିଛି ଲୋକ ଘେରିଯାଇଥିଲେ ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ‘ଶିଖ୍‌ ୟୁଥ୍‌ ୟୁକେ’ ଉକ୍ତ ଘଟଣାର ଏକ ଭିଡିଓ ‌ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଖଲିସ୍ତାନୀ ସମର୍ଥକଙ୍କର ଗୁରୁଦ୍ବାର କମିଟି ସଦସ୍ୟଙ୍କ ସହ ବଚସା ହେଉଛି। ଏହାପରେ କମିଟି ସଦସ୍ୟ କାର୍ଯ୍ୟକର୍ତ୍ତାଙ୍କ‌ ଫୋନ୍‌ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ତେବେ ଭାରତ ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛି।

ଭାରତ ବ୍ରିଟେନର ଋଷି ସୁନକ ସରକାରଙ୍କ ନିକଟ‌ରେ ଏହି ପ୍ରସଙ୍ଗ ଉଠାଇଛି। ବ୍ରିଟେନ ବିଦେଶ ଅଫିସକୁ ଭାରତ ଉକ୍ତ ପ୍ରସଙ୍ଗରେ ଅବଗତ କରିଛି। ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିସନ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଏଭଳି ଏକ ଅପମାନଜନକ ଘଟଣା ସଂକ୍ରାନ୍ତରେ ଭାରତ ବ୍ରିଟେନ୍‌ ବିଦେଶ ବିଭାଗକୁ ଅବଗତ କରିଛି। କାର୍ଯ୍ୟକ୍ରମ ପରିଚାଳନା କରିଥିବା ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟା ଘଟଣାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ଘଟଣା ଘଟିଛି।

Spread the love