ପୃଥିବୀର ପ୍ରଭାବକ୍ଷେତ୍ରରୁ ବାହାରିଲା: ଆଦିତ୍ୟ ଏଲ୍‌-୧

ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିସନ ଆଦିତ୍ୟ ଏଲ୍‌-୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଆଡ଼କୁ ଅଗ୍ରସର ହେଉଛି। ଏକ୍ସ (ଟ୍ବିଟର)ରେ ଇସ୍ରୋ ସୂଚନା ଦେଇଛି ଯେ, ଏହା ଦ୍ବିତୀୟ ଥର ପାଇଁ ପୃଥିବୀର ପ୍ରଭାବକ୍ଷେତ୍ର ବାହାରକୁ ଏକ ମହାକାଶଯାନକୁ ପଠାଇପାରିଛି। ପ୍ରଥମଥର ପାଇଁ ମାର୍ସ ଅର୍ବିଟର ମିସନ କ୍ଷେତ୍ରରେ ଏହା କରିବାରେ ଇସ୍ରୋ ସଫଳ ହୋଇଥିଲା। ଲାଗ୍ରାଞ୍ଜ ପଏଣ୍ଟ ୧ ହେଉଛି ପୃଥିବୀ ଓ ସୂର୍ଯ୍ୟ ମଝିରେ ପୃଥିବୀଠାରୁ ୧.୫ ନିୟୁତ କିମି ଦୂରରେ ଅବସ୍ଥିତ ଏକ ସନ୍ତୁଳିତ ମାଧ୍ୟାକର୍ଷଣ କ୍ଷେତ୍ର। ୧୧୦ ଦିନର ଯାତ୍ରା ପରେ ଆଦିତ୍ୟ ଏଲ୍‌-୧ ଏଠାରେ ପହଞ୍ଚିବା ପରେ ଏହା ଏଲ୍‌୧ ଚାରିପାଖରେ ଏକ ଅର୍ବିଟ୍‌ରେ ପରିକ୍ରମା କରିବ। ଆଦିତ୍ୟ ଏଲ୍‌-୧ ହେଉଛି ଭାରତର ଏକ ପର୍ଯ୍ୟବେକ୍ଷଣାଗାର ଶ୍ରେଣୀୟ ମହାକାଶଯାନ, ଯାହା ସୂର୍ଯ୍ୟଙ୍କ ଉପରେ ନିରବଚ୍ଛିନ୍ନଭାବେ ନିରୀକ୍ଷଣ କରି ସୌରକଳଙ୍କ, ସୌରବାୟୁ, ପୃଥିବୀ ଉପରେ ତଥା ପୃଥିବୀର ପାଣିପାଗ ଉପରେ ଏହାର ପ୍ରଭାବ ଆଦି ସମ୍ପର୍କରେ ଗବେଷଣା କରି ଅନେକ ତଥ୍ୟ ପ୍ରଦାନ କରିବ।

Spread the love