ମୁଁ ଓବିସି ହୋଇଥିବାରୁ ଘୃଣା କରୁଛି କଂଗ୍ରେସ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ୍‌ କରି ଓବିସି କାର୍ଡ ଖେଳିଛନ୍ତି। ବିଳାସପୁରରେ ‘ପରିବର୍ତ୍ତନ ମହାସଙ୍କଳ୍ପ’ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ମୁଁ ଓବିସି ହୋଇଥିବାରୁ କଂଗ୍ରେସ ମତେ ଘୃଣା କରୁଛି। କଂଗ୍ରେସ ଗରିବ, ଦଳିତ, ଆଦିବାସୀ ଏବଂ ଓବିସିକୁ ଘୃଣା କରୁଛି। କଂଗ୍ରେସର ଏହି ଘୃଣା ସବୁଠି ପ୍ରତିଫଳିତ ହେଉଛି ଏବଂ ମୁଁ ଓବିସି ହୋଇଥିବାରୁ ମୋ ଉପରେ ବାରମ୍ବାର ଆକ୍ରମଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ଏସ୍‌ସି/ଏସ୍‌ଟି କିମ୍ବା ଓବିସି ସଂପ୍ରଦାୟର ଲୋକେ ଆଗକୁ ବଢ଼ିଲେ ସହ୍ୟ କରିପାରୁନାହିଁ ଏବଂ ଏଭଳି ମାନସିକତା ରଖୁଥିବା ଦଳକୁ ଲୋକେ ଉଚିତ ଜବାବ ଦେବେ ବୋଲି ମୋଦୀ କହିଛନ୍ତି। ଛତିଶଗଡ଼ରେ କଂଗ୍ରେସ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ମଦ ଦୁର୍ନୀତି କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ରାସନ୍‌ରେ ବି ଦୁର୍ନୀତି କରିଛି।

ଏପରିକି ଏହା ଗାଈ ଗୋବରକୁ ବି ଛାଡ଼ିନି। ଛତିଶଗଡ଼ ସରକାରଙ୍କ ଗାଈ ଗୋବର କ୍ରୟ ଯୋଜନାକୁ କଟାକ୍ଷ କରି ମୋଦୀ ଏହା କହିଛନ୍ତି। ମୋଦୀ ଆଜି ଭୂପେଶ ବାଘେଲ ସରକାର ବିରୋଧରେ ବର୍ଷି କହିଛନ୍ତି, ଏହା ରାଜ୍ୟ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ବିକାଶମୂଳକ ପ୍ରକଳ୍ପକୁ ଅଟକାଉଛି। ମୋଦୀ କହିଛନ୍ତି, ଛତିଶଗଡ଼ରେ ବିଜେପି ସରକାର ଆସି‌‌ଲେ ହିଁ ଲୋକଙ୍କ ସ୍ବପ୍ନ ସାକାର ହେବ। ଦିଲ୍ଲୀରୁ ଛତିଶଗଡ଼ ପାଇଁ ଯେତେ‌ ଉଦ୍ୟମ ହେଲେ ବି କଂଗ୍ରେସ ସବୁ ଉଦ୍ୟମକୁ ବିଫଳ କରିଦେଉଛି ବୋଲି ମୋଦୀ କହିଛନ୍ତି। ରୢାଲି ସମୟରେ ମୋଦୀ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କର ଏକ ଟିପ୍ପଣୀକୁ ରଖିଥିଲେ। ସିଂହଦେଓ କହିଥିଲେ, ବିକାଶମୂଳକ କାର୍ଯ୍ୟ କ୍ଷେତ୍ରରେ କେନ୍ଦ୍ର ସରକାର କଂଗ୍ରେସ ଶାସିତ ରାଜ୍ୟ ପ୍ରତି କୌଣସି ପକ୍ଷପାତ କରିନାହାନ୍ତି।

Spread the love