୭ ଦିନରୁ ୭ ଘଣ୍ଟା ମଧ୍ୟ ଚାଲିନାହିଁ ବିଧାନସଭା : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ଘୋଷଣା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ୨୦୧୯ ପରଠୁ ବିଧାନସଭାକୁ ସଂପୂର୍ଣ୍ଣ ଚଳାଇ ନାହାଁନ୍ତି ସରକାର । ଏଥିରୁ ବିଜେଡ଼ିର ଉଦ୍ଦେଶ୍ୟ ପ୍ରମାଣିତ ହେଉଛି । ୪ ତାରିଖ ପ୍ରାଇଭେଟ୍ ମେମ୍ବର ବିଲ୍ ଆସିବାର ଥିଲା । ଏହା ପ୍ରାଇଭେଟ୍ ମେମ୍ବରମାନଙ୍କର ଅଧିକାର । ହେଲେ ଏହି ବିଲକୁ ବିଜେଡ଼ି ସରକାର ବନ୍ଦ କରି ଦେଲେ । ଏଥର ବିଧାନସଭା ୮ ଦିନ ଥିଲା । କିନ୍ତୁ ୭ ଦିନରେ ବନ୍ଦ ହୋଇଗଲା | ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ୫-ଟି ସଚିବ, ଜନ ପ୍ରତିନିଧିଙ୍କ ଅପମାନ ଆଦି ପ୍ରସଙ୍ଗ ବିଜେପି ଚର୍ଚ୍ଚାକୁ ଆଣିଥିଲା । କିନ୍ତୁ କୌଣସି କଥା ଚର୍ଚ୍ଚା ହୋଇପାରିଲା ନାହିଁ । ସରକାରରେ ସଚିବ ବଡ ନା ନିର୍ବାଚିତ ପ୍ରତିନିଧି ବଡ । ଏ ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲୁ । କିନ୍ତୁ ଗ୍ରହଣ କରାଗଲା ନାହିଁ । ଅନେକ କର୍ମଚାରୀ ସଂଘ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । କିନ୍ତୁ ସେମାନଙ୍କ ବିଷୟ ବିଧାନସଭାରେ ଆଲୋଚନା ହୋଇପାରିଲା ନାହିଁ ।ବିଧାନସଭାରେ ଯଦି କିଛି ତ୍ରୁଟି ହୁଏ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବ୍ୟାହତ ହେଲେ ସର୍ବଦଳୀୟ ବୈଠକ ହୁଏ । କିନ୍ତୁ ଦୁଃଖର କଥା, ଏ ସରକାର ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଞ୍ଚା ଦେଉଛି । ଯେଉଁ ଗୋଟିଏ ଦୁଇ ଥର ଡାକିଲେ, କିନ୍ତୁ କୌଣସି ନିଷ୍ପତି ଶାସକ ଦଳ ନିଜେ କାର୍ଯ୍ୟକାରୀ କଲା ନାହିଁ ।

ବିଧାନସଭା ଚାଲିବା ପାଇଁ ନିଷ୍ପତି ହେବା ସତ୍ବେ ଶାସକ ଦଳ ତରଫରୁ ବିଧାନସଭା ଚାଲିବାକୁ ଦିଆଗଲା ନାହିଁ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ବନ୍ଦ କରିଦେଲେ । ଜଣେ ମନ୍ତ୍ରୀ କହିଲେ, ବିଧାନସଭାରେ ସର୍ବଦଳୀୟ ବୈଠକ କରିବା ମୁଖ୍ୟମନ୍ତ୍ରୀଙ୍କ କାମ । କିନ୍ତୁ ଏତେ ଦିନ ବିଧାୟକ ଏବଂ ଏବେ ମନ୍ତ୍ରୀ ଥିବା ସତ୍ବେ ସେ କେମିତି ଜାଣିନାହାନ୍ତି । ତାଙ୍କ ମୁହଁରୁ ସତ କଥା ବାହାରି ଗଲା । ଏଠି କିନ୍ତୁ ମୁଖ୍ୟମନ୍ତ୍ରୀ ନୁହେଁ, ଜଣେ ସଚିବ ନିଷ୍ପତି ନେଉଛନ୍ତି । ତେଣୁ ସରକାରର ଗତି କୁଆଡ଼େ ଲୋକ ବିଚାର କରନ୍ତୁ ।ଯେତେବେଳେ ଗୃହର ନେତା କିମ୍ବା ବିରୋଧୀ ଦଳ ନେତା ଗୃହ ମଧ୍ୟରେ କହିବେ, ସଂପୂର୍ଣ୍ଣ ବକ୍ତବ୍ୟ ନସରିବା ପର୍ଯ୍ୟନ୍ତ ତାଙ୍କ ମାଇକ କଟାଯାଇ ପାରିବ ନାହିଁ । କିନ୍ତୁ ବିରୋଧୀ ଦଳ ନେତା କହିଲା ବେଳେ ବାରମ୍ବାର ମାଇକ କଟା ଯାଇଛି । ବିରୋଧୀ ଦଳ ଏକ ଛାୟା ସରକାର । ବିରୋଧୀ ଦଳ ନେତା ଛାୟା ମୁଖ୍ୟମନ୍ତ୍ରୀ । ଏହା କେଉଁ ପ୍ରକାର ଗଣତାନ୍ତ୍ରିକ କାର୍ଯ୍ୟ |ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ ବିରୋଧୀ ଦଳ ଜନ ବିରୋଧୀ । ସାମ୍ବିଧାନିକ ବ୍ୟବସ୍ଥାରେ ବିରୋଧୀ ଦଳ ଏବଂ ବିରୋଧୀ ଦଳ ନେତା ଅଛନ୍ତି । ଲୋକ ଯେତେବେଳେ ନିର୍ବାଚିତ କରି ପଠାଇଲେ । ତେବେ ବିରୋଧୀ ଦଳ ବିଧାୟକମାନେ କେମିତି ଜନ ବିରୋଧୀ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଏ କଥା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ନିଜେ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିଲେ ବିରୋଧୀ ଦଳ ନେତା । ବାଚସ୍ପତି କିଛି ଜାଣୁ ନାହାଁନ୍ତି । ଯାଜପୁର ବିଧାୟକଙ୍କ ଇସାରାରେ ଗୃହକୁ ଚଳାଉଛନ୍ତି ।

Spread the love