ଶାନ୍ତି ଓ ଭ୍ରାତୃତ୍ବ ପାଇଁ ସମୟ ଆସିଛି: ୯ମ ‘ଜି୨୦’ ସଂସଦୀୟ ବାଚସ୍ପିତିଙ୍କ ଶିଖର ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଶାନ୍ତି ଓ ଭ୍ରାତୃତ୍ବ ଲାଗି ସମୟ ଉପସ୍ଥିତ ହୋଇଛି ବୋଲି ଆଜି ଦିଲ୍ଲୀସ୍ଥିତ ‘ଯଶୋଭୂମି ସମ୍ମଳନୀ କେନ୍ଦ୍ର’ରେ ୯ମ ‘ଜି୨୦’ ସଂସଦୀୟ ବାଚସ୍ପତିଙ୍କ ଶିଖର ସମ୍ମିଳନୀ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ଭାରତର ‘ଜି୨୦’ ଅଧ୍ୟକ୍ଷତାର ସକାରାତ୍ମକ ଭାବଧାରା ଭଳି ଆଜିର ଏହି ଶିଖର ସମ୍ମଳିନୀକୁ ସଂସଦ ଆୟୋଜନ କରିଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶାନ୍ତି ଓ ସମ୍ମିଳିତ ଉନ୍ନତି ଉପରେ ଗୁରୁତ୍ବାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଏହା ହେଉଛି ସମସ୍ତଙ୍କର ବିକାଶର ସମୟ, ଶାନ୍ତି, ଭ୍ରାତୃତ୍ବ ଓ ଏକତ୍ର ଅଗ୍ରସର ହେବାର ସମୟ। ଆତଙ୍କବାଦ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ସମ୍ପ୍ରତି ବିଶ୍ବ ସମ୍ମୁଖୀନ ହେଉଥିବା ଯୁଦ୍ଧ ଓ ସଂଘର୍ଷ କାହାକୁ ଉପକୃତ କରୁନାହିଁ। ବିଭାଜିତ ବିଶ୍ବ ମାନବତା ସମ୍ମୁଖରେ ଥିବା ଆହ୍ବାନର ସମାଧାନ କରିପାରେ ନାହିଁ। ଏହାଛଡ଼ା, ସଂସଦର ପ୍ରଥା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, ଏହା ହେଉଛି ସମଗ୍ର ବିଶ୍ବରେ ଥିବା ସଂସଦୀୟ ପ୍ରଥାଗୁଡ଼ିକର ଅଭିନବ ସଙ୍ଗମ। ଏହାଦ୍ବାର ଦେଶର ସଂସଦୀୟ ପ୍ରଥା କ୍ରମବିକାଶ ଲାଭ କରି ସୁଦୃଢ଼ ହୋଇଛି। ‘ଜି୨୦’ର ଅଧ୍ୟକ୍ଷତା ସମଗ୍ର ବର୍ଷ ତମାମ ଭାରତରେ ଉତ୍ସବୀୟ ବାତାବରଣ ସୁନିଶ୍ଚିତ କରିଥିଲା। ଭାରତର ଚନ୍ଦ୍ରାବତରଣ ଏହାକୁ ଆହୁରି ଉତ୍ସବମୁଖରିତ କଲା।

Spread the love