ଦୋଷମୁକ୍ତ ହେଲେ ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ସୁରେନ୍ଦ୍ର କୋଲୀ

ଆହ୍ଲାବାଦ: କୁଖ୍ୟାତ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲୀ ଓ ମନିନ୍ଦର ପଣ୍ଢେର୍‌ଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ୧୨ଟି ମାମଲା ରୁଜୁ କରାଯାଇଥିବା ଅଭିଯୁକ୍ତ ସୁରେନ୍ଦ୍ର କୋଲୀ ଓ ୨ଟି ମାମଲା ରୁଜୁ କରାଯାଇଥିବା ସହ-ଅଭିଯୁକ୍ତ ମନିନ୍ଦର୍‌ ପଣ୍ଢେର୍‌ ନିର୍ଦୋଷ ବୋଲି ଅଦାଲତଙ୍କର ହୃଦ୍‌ବୋଧ ହୋଇଥିଲା।ଏଥିସହିତ କୋଲୀ ଓ ପଣ୍ଢେରଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡାଦେଶ ମଧ୍ୟ ଖାରଜ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ଭାରତ ଇତିହାସରେ ନିଠାରୀ ହତ୍ୟା ମାମଲା ହେଉଛି ଜଘନ୍ୟ ଅପରାଧିକ ତଦନ୍ତଗୁଡ଼ିକ ମଧ୍ୟରୁ ଗୋଟିଏ। ୨୦୦୬ରେ ଉତ୍ତର ପ୍ରଦେଶର ନୋଏଡାସ୍ଥିତ ମନିନ୍ଦର୍‌ ସିଂହ ପଣ୍ଢେର୍‌ଙ୍କ ବାସଭବନ ଆଖପାଖରୁ ଏକାଧିକ ମାନବ ଦେହାବଶେଷ ମିଳିଥିଲା। ଏହି ଜଘନ୍ୟ କାଣ୍ଡର ସବିଶେ‌ଷ ବିବରଣୀ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ସହିତ କୋଲୀ ଓ ପ‌ଣ୍ଢେର୍‌ଙ୍କୁ ଗରିଫ କରାଇ ଦଣ୍ଡିତ କରିଥିଲା। ପିଲାମାନଙ୍କୁ ପ୍ରଲୋଭିତ କରି ଘରକୁ ଆଣି ଦୁହେଁ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଦୁହେଁ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ‌ନଏଡାର ନିଠାରୀ ଅଞ୍ଚଳରେ ଜଘନ୍ୟ ହତ୍ୟା କରିବା ପରେ ପିଲାମାନଙ୍କୁ ହାଣି ଥିବା ଘଟଣାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲୀଙ୍କୁ ନିମ୍ନ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପରେ ଏହି ଦଣ୍ଡାଦେଶକୁ ଆହ୍ଲାବାଦ ହାଇକୋର୍ଟ ଓ ୨୦୧୧ ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମ୍‌ କୋର୍ଟ କାଏମ ରଖିଥିଲେ। କୋଲୀଙ୍କୁ ‘ସିରିଏଲ୍‌ କିଲର୍‌’ କହି ଅଦାଲତ କହିଥିଲେ କି, ତାଙ୍କ ପ୍ରତି ଦୟା ପ୍ରଦର୍ଶନ କରାଯିବ ନାହିଁ।

କୋଲୀ ବିରୋଧରେ ସମୁଦାୟ ୧୬ ମାମଲା ରୁଜୁ କରାଯାଇଥିଲା ଏବଂ ସେଥିରୁ ୧୨ଟି ହତ୍ୟା ମାମଲାରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ତାଙ୍କ କର୍ମଚାରୀ ମନିନ୍ଦର ସିଂହ ପଣ୍ଢେର୍‌ କେତୋଟି ନିଠାରୀ ସିରିଏଲ୍‌ ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ କେତେକ ମାମଲାରେ ଦୋଷୀ ସାବ୍ୟସ୍ତ ‌ହୋଇଥିଲେ। ନିମ୍ନ ଅଦାଲତ ତାଙ୍କୁ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସେ ଆହ୍ଲାବାଦ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ।

Spread the love