୨୦ରୁ ବସ୍‌ ଚଳାଚଳ ବନ୍ଦ

ମାଲକାନଗିରିରେ ଲକ୍ଷ୍ମୀ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ ହେବା ପୂର୍ବରୁ ବସ୍‌ ମାଲିକ ସଂଘ ଅକ୍ଟୋବର ୧୦ତାରିଖରୁ ବସ୍‌ ଧର୍ମଘଟ ଡାକରା ଦେଇଥିଲା। ହେଲେ ୯ତାରିଖରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପରିବହନ କମିସନର ଅମିତାଭ ଠାକୁର, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନଙ୍କ ସହ ଆଲୋଚନା ହେବା ପରେ ବସ୍‌ ଧର୍ମଘଟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ହେଲେ ସଂଘ ଆଜି ହଠାତ୍ ଅକ୍ଟୋବର ୨୦ତାରିଖରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହେବ ବୋଲି ଘୋଷଣା କରିଛି।

ଆଗକୁ ଦୁର୍ଗାପୂଜା ଥିବାବେଳେ ୨୦ତାରିଖରୁ ସ୍କୁଲ, କଲେଜରେ ଦଶହରା ଛୁଟି ହେଉଛି। ଠିକ୍ ଏହି ସମୟରେ ବସ୍‌ ଧର୍ମଘଟ ଡାକରା ନେଇ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୯ତାରିଖରେ ହୋଇଥିବା ଆଲୋଚନା ସମୟରେ ଆମେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ ଯେ ସେମାନେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରନ୍ତୁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯେଉଁ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି ସେଥିରେ ଘରୋଇ ବସ୍‌କୁ ସାମିଲ୍ କରାଯାଉ। ସେତେବେଳେ ଆମ ସର୍ତ୍ତରେ ସରକାର ରାଜି ହୋଇଥିଲେ। ହେଲେ ଅକ୍ଟୋବର ୧୨ରୁ ମାଲିକାନଗିରିରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚଳାଚଳ କରୁଛି। ସେହିପରି ୨୦ତାରିଖରେ ଗଜପତି ଜିଲ୍ଲାରେ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଆମେ ଏହାକୁ ବିରୋଧ କରିବାରୁ ଆଜି ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ପରିବହନ କମିସନର ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଡାକି ଆମ ସହ ଆଲୋଚନା କରିଥିଲେ। ହେଲେ ଆମ ଦାବି ପୂରଣ‌ ନେଇ ଲିଖିତ ପ୍ରତିଶ୍ରୁତି ଦେଲେନି। ତେଣୁ ଆଜି ଅପରାହ୍ନରେ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏଥିରେ ନି‌ଷ୍ପତ୍ତି ହୋଇଛି ଯେ ଯେତେଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରାଯିବନି, ସହରାଞ୍ଚଳ ବାହାରେ ମୋ ବସ୍‌ ଚାଳଚଳ ବନ୍ଦ ହେବନି ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ।

Spread the love