ଘରୋଇ ବସ୍ ମାଲିକ ସଂଘରେ କୌଣସି ଫାଟ ନାହିଁ: ଦେବେନ୍ଦ୍ର ସାହୁ

ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ମିଳିଛି। ବିଶେଷ କରି ବାଲେଶ୍ବର ବସ୍ ମାଲିକ ସଂଘ ଏହି ଧର୍ମଘଟରୁ ଓହରି ଯାଇଥିବା କୁହାଯାଉଛି। ଠିକ୍ ସେହିପରି ଗଞ୍ଜାମରେ ବି ଗୋଟିଏ ସଂଘ ବି ଏଥିରୁ ଓହରିଯାଇଛି। ଏହାଫଳରେ ଘରୋଇ ବସ୍ ମାଲିକ ସଂଘ ଭିତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି, କେଉଁଠି ୩/୪ଟା ବସ୍ ଚାଲିଲେ ତାକୁ କ’ଣ କୁହାଯିବ ଯେ ସଂଘରେ ଫାଟ ଅଛି। ଫାଟ ହେବାର ନାହିଁ। ସମସ୍ତେ ଆମ ସହ ଅଛନ୍ତି। ଯେଉଁମାନେ ବି ଚାପର ବଶବର୍ତ୍ତୀ ହୋଇ ବସ୍ ଚଳାଉଛନ୍ତି, ୧୨ଟା ବେଳକୁ ସେସବୁ ବସ୍ ବି ବନ୍ଦ ହୋଇଯିବ। ସରକାର ଆଲୋଚନା କରୁନାହାନ୍ତି, ଯେଉଁଥିଲାଗି ଏଭଳି ସ୍ଥିତି ଉପୁଜିଛି। ଆମେ ଏବେ ବି ଆଶାବାଦୀ, ଆଲୋଚନା ଜରିଆରେ ସମାଧାନର ବାଟ ବାହାରିବ। ଯେକୌଣସି ସମୟରେ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇପାରେ।

ଆଜି (ଶୁକ୍ରବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବା ସହ ମୋ ବସ୍‌କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ କହିଛି। ଆଜି ଠାରୁ ସ୍କୁଲ, କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି। ହେଲେ ଏହି ସମୟରେ ହଠାତ୍ ବସ୍‌ ସେବା ବନ୍ଦ ହେବାକୁ ଥିବାରୁ ଆଜିଠାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି  ହୋଇଛି।

Spread the love