ଏଲିସଙ୍କ ହତ୍ୟାକାରୀକୁ ସୁରକ୍ଷା ପାଇଁ ପୁଲିସ ମିଛ କହୁଛି: କୁସୁମ ଟେଟେ

ରାଉରକେଲା: ଅତ୍ୟଧିକ ଉତ୍ତେଜନା କାରଣରୁ ଏଏସ୍‌ଆଇ ଏଲିସ ନାରମି ଲୁଗୁନଙ୍କ ମୃତ୍ୟୁ ହୋଇଥିବା ରାଉରକେଲା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ତେବେ ଏହାକୁ ଅଗ୍ରାହ୍ୟ କରିଛନ୍ତି ସୁନ୍ଦର ବିଧାୟିକା ତଥା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଅଧ୍ୟକ୍ଷା କୁସୁମ ଟେଟେ। ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଏକାଧିକ ପ୍ରମାଣ ଥିବା ସତ୍ତ୍ବେ ତାଙ୍କକୁ ରୋଗୀ ଦର୍ଶାଇବା ନିନ୍ଦନୀୟ ଓ ଅଗ୍ରହଣୀୟ ବୋଲି କହିଛନ୍ତି।

ବିଧାୟିକା ଟେଟେ କହିଛନ୍ତି, ଏଲିସଙ୍କ ମୃତ୍ୟୁକୁ ରୋଗ ଜନିତ ଦର୍ଶାଇବାକୁ ପ୍ରଶାସନ ଆରମ୍ଭରୁ ଲାଗିପଡ଼ିଥିଲା। ଜଣେ ବିଭାଗୀୟ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବା ପରିବର୍ତ୍ତେ ହତ୍ୟାକାରୀଙ୍କୁ ଅଯାଚିତ ସୁରକ୍ଷା ଦେବାକୁ ପୁଲିସ ଲାଗିପଡ଼ିଥିଲା; ଶେଷରେ ତାହା ହିଁ କରିଛନ୍ତି। ଏଲିସଙ୍କ ଶରୀରରେ କୌଣସି ଦାଗ ନଥିବା ଏସ୍‌ପି କହିଛନ୍ତି। ପ୍ରକୃତରେ କେଉଁ ଆଧାରରେ ଏସ୍‌ପି ଏଲିସଙ୍କୁ ରୋଗୀ ଦର୍ଶାଇଛନ୍ତି? ପରିବାରବର୍ଗଙ୍କ ପାଖରେ ଥିବା ଫଟୋକୁ ଦେଖିଲେ କିଏ ସତ କହୁଛି ସ୍ପଷ୍ଟ ହୋଇଯାଉଛି। ଆଲିସଙ୍କ ବେକ, ହାତ, ଗୋଡ଼, ଦେହ ଆଦି ଏକାଧିକ ସ୍ଥାନରେ ଦାଗ ରହିଛି। ପ୍ରବଳ ମାଡ଼ ଯୋଗୁଁ ଶରୀରରେ ରକ୍ତ ଜମାଟ ବାନ୍ଧି କଳା ଦାଗ ହୋଇଥିଲା।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ଭଳି ଏଲିସଙ୍କ ମୁହଁରେ ବି ଫେଣ ବାହାରୁଥିଲା। ତାଙ୍କୁ କୌଣସି ପ୍ରକାର ଇଞ୍ଜେକ୍ସନ ଦେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହାସହ କହିଲେ, ଏକ୍ସାଇଟେଡ୍‌ ଡେଲିରିୟମ ଲକ୍ଷଣ ହିଁ ମୃତ୍ୟୁର କାରଣ ବୋଲି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ଫରେନ୍ସିକ୍‌ ମେଡିସିନ୍‌ ପ୍ରଫେସର ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଓଡ଼ିଶା ସରକାରଙ୍କ ମନଗଢ଼ା କାହାଣୀ। ସଂପୃକ୍ତ ଡାକ୍ତରକୁ କିଣି ନିଜ ମନମୁତାବକ ରିପୋର୍ଟ ପ୍ରସ୍ତୁତ କରରିଛନ୍ତି ସରକାର। ପ୍ରକୃତରେ ରାଜ୍ୟ ସରକାର ହେଉଛନ୍ତି ଆଦିବାସୀ ବିରୋଧୀ। ରାଜ୍ୟବାସୀଙ୍କ ଉପରେ ନିର୍ଯାତନା ଜାରି ରଖିଥିବାବେଳେ ନ୍ୟାୟ ମିଳୁନି। ନିଜ ଗୃହ ବିଭାଗ କର୍ମଚାରୀଙ୍କୁ ହତ୍ୟା କରାଯାଉଥିବାବେଳେ ତାଙ୍କୁ ମଧ୍ୟ ନ୍ୟାୟ ମିଳିପାରୁନି; ଯାହାକି ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ପରବର୍ତ୍ତୀ ପଦକ୍ଷେପ ନେଇ କହିଲେ, ବିଜେପି ସବୁବେଳେ ରାଜ୍ୟବାସୀଙ୍କ ସହିତ ଅଛି। ଦୁଇ ଆଦିବାସୀ ଉଭଣୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ। ଖୁବଶୀଘ୍ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ବୈଠକ ହେବ। ଏଥିରେ ଆଗାମୀ ପଦକ୍ଷେପ ବିଷୟରେ ସ୍ଥିର କରାଯିବ। ସୁସ୍ମିତା ଓ ଏଳିଶଙ୍କ ହତ୍ୟାକାରୀ ବ‌ନ୍ଧା ନ ହେବା ଯାଏ, ଲଢ଼େଇ ଜାରି ରହିବବୋଲି କହିଛନ୍ତି।
Spread the love