ଆଜିଠାରୁ କାନାଡାରେ ଭିସା ସେବା ଆଂଶିକ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଆଜିରୁ କାନାଡାରେ ଭିସା ସେବା ଆଂଶିକ ଭାବେ ଆରମ୍ଭ କରିବ ବୋଲି ସେଠାରେ ଥିବା ଭାରତୀୟ ହାଇକମିଶନ ବୁଧବାର ଓଟାୱାରେ ଘୋଷଣା କରିଛନ୍ତି। କୂଟନୈତିକ ବିବାଦ କାରଣରୁ ଗତ ମାସରେ ଏହି ସେବା କୁ ବନ୍ଦ କରି ଦିଆଯାଇଥିଲା । କାନାଡାରେ ଥିବା ଭାରତୀୟ ହାଇକମିଶନ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ଅକ୍ଟୋବର ୨୬ରୁ ଏଣ୍ଟ୍ରି ଭିସା, ବିଜନେସ ଭିସା, ମେଡିକାଲ ଭିସା ଏବଂ କନଫରେନ୍ସ ଭିସା ସେବା ଆରମ୍ଭ ହେବ ।
ପରିସ୍ଥିତିର ନିରନ୍ତର ଆକଳନ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକମିଶନ ଗଣମାଧ୍ୟମକୁ ଜାରି ବିବୃତିରେ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର କହିଥିଲେ ଯେ ଯଦି କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାରେ ଅଗ୍ରଗତି ଆସେ, ଭାରତ ଖୁବ୍ ଶୀଘ୍ର କାନାଡାବାସୀଙ୍କ ପାଇଁ ଭିସା ସେବା ପୁନଃ ଆରମ୍ଭ କରିବାକୁ ବିଚାର କରିପାରେ । ଜୁନ୍ ମାସରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବା ଘଟଣାରେ ଭାରତୀୟ ଏଜେଣ୍ଟଙ୍କ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା । ସେପ୍ଟେମ୍ବର ୧୮ରେ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ଏହି ବୟାନ ଦେଇଥିଲେ ।

Spread the love