ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ଦେଶର ନାଁ ଇଣ୍ଡିଆ ନା’ ଭାରତ, ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଏନସିଇଆରଟି । ଏଣିକି ପିଲାମାନଙ୍କୁ ଦେଶର ନାମ ଇଣ୍ଡିଆ ନୁହେଁ ଭାରତ ପଢ଼ାଯିବ । ଏନସିଇଆରଟି ବହିରେ ଦେଶର ନାମ କେବଳ ଭାରତ ଲେଖାଯିବ । ଏ ନେଇ ଶିକ୍ଷା ମନ୍ତ୍ରାଳୟକୁ ସୁପାରିସ୍ କରିଛି ଏନସିଇଆରଟିର ୭ ଜଣିଆ କମିଟି । ସର୍ବସମ୍ମତିକ୍ରମେ ଏପରି ଐତିହାସିକ ନିଷ୍ପତି ନିଆଯାଇଛି । ଏନସିଇଆରଟି ବହିରେ ଦେଶର ନାମ ଯେଉଁଠି ଇଣ୍ଡିଆ ଲେଖା ହୋଇଛି ତାକୁ ଭାରତ କରିବା ପାଇଁ ସୁପାରିସ୍ କରାଯାଇଛି ।

ଇଣ୍ଡିଆ ବଦଳରେ ଭାରତ ଏବଂ ଇତିହାସର ପରିବର୍ତନ ନେଇ ଉଦ୍ୟମ ହେଉଥିବା ଅଭିଯୋଗ କରୁଛନ୍ତି ବିରୋଧୀ ଦଳ । ହେଲେ ଏହା ସପକ୍ଷରେ ଯୁକ୍ତି ବାଢି ଆସୁଛି ବିଜେପି । ସୂଚନାଯୋଗ୍ୟ ଯେ, ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିଥିଲେ କେନ୍ଦ୍ର ସରକାର । ସରକାରୀ ଭାବେ ପ୍ରଥମ ଥର ଏପରି ହୋଇଥିଲା । ସେହିପରି ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ମଧ୍ୟ ଭାରତ ଲେଖାଯାଇଥିଲା । ସ୍କୁଲ ବହିରେ ଦେଶର ନାଁ ଭାରତ ଲେଖିବାକୁ ଏନସିଇଆରଟିର ସୁପାରିସ୍ ପରେ ନାମ ବଦଳାଇବା ପ୍ରକ୍ର୍ରିୟା ତ୍ୱରାନ୍ୱିତ ହେବ ବୋଲି ଆକଳନ କରାଯାଉଛି ।

Spread the love