ପାଞ୍ଚବର୍ଷରେ ପଙ୍କଚର୍‌ ‘ମୋ ସାଇକେଲ୍‌’: ରକ୍ଷଣାବେକ୍ଷଣରେ ଗଲା ଆହୁରି ୨ କୋଟି

ଭୁବ‌ନେଶ୍ବର: ଯେତେବେଳେ ୨୫ ହଜାର ଟଙ୍କାରେ ଇ-ସାଇକେଲ୍‌ ମିଳୁଥିଲା, ସେତେବେଳେ ଗୋଟାକୁ ୨୫ ହଜାର ଟଙ୍କା ଦେଇ ‘ମୋ ସାଇକେଲ୍‌’ କିଣି‌ଲେ। ଦୁଇ ଅନାମଧ୍ୟେୟ ସଂସ୍ଥାରୁ ୨ ହଜାର ସାଇକେଲ୍‌ କିଣି ୫ କୋଟି ଖର୍ଚ୍ଚ କଲେ। କିନ୍ତୁ କେମିତି ଏହାର ଲୋକପ୍ରିୟତା ବଢ଼ିବ ଭାବିଲେନି। ଏସି ରୁମ୍‌ ଭିତରେ ପ୍ରସ୍ତୁତ ହେଉଥିବା ଯୋଜନା ରାଜରାସ୍ତାରେ କିଭଳି ସଫଳ ହେବ, ସେଥିରେ ମୁଣ୍ଡ ଖର୍ଚ୍ଚ କଲେନି। ଘୋଷଣା କରାଗଲା- ପ୍ରତ୍ୟେକ ଶୁକ୍ରବାର ବିଏମ୍‌ସି ବାବୁମାନେ ଗାଡ଼ି ବ୍ୟବହାର କରିବେନି, ସାଇକେଲ୍‌ରେ ଅଫିସ୍‌ ଆସିବେ। ସାଇକେଲ୍‌ ଚାଳନାକୁ ପ୍ରୋତ୍ସାହିତ କରିବା ଭଳି ଏକ ଚମତ୍କାର ପରିକଳ୍ପନାକୁ ବାବୁମାନେ ବାସ୍ତବରୂପ ଦେଇ ପାରିଲେନି। ଗୋଟିଏ ଦିନ ଫଟୋ ଉଠାଇବା ପରେ ପୂର୍ବଭଳି ଗାଡ଼ିରେ ଆସିଲେ। ବାବୁମାନେ ସାଇକେଲ୍‌ରେ ଆସିଥି‌ଲେ ସାଧାରଣ ଲୋକ ବି ଉତ୍ସାହିତ ହୋଇଥାନ୍ତେ। କିନ୍ତୁ ହେଲାନି ଓ ‘ମୋ ସାଇକେଲ୍‌’ ଯୋଜନା ସଫଳ ହେବା ନେଇ ଯେଉଁ ଆଶା ଟିକକ ରହିଥିଲା ତାହା ବି ଗଲା।

ଏକଦା କରୋନା ପାଇଁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଚାଲିଥିବା ବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ମଧ୍ୟରେ ୧୭୯ଟି ‘ମୋ ସାଇକେଲ୍‌’‌ ଲୋକ ବୁକିଂ କରିଥିଲେ। ସେହି ସଙ୍କଟ କାଳରେ ଗୋଟିଏ ସପ୍ତାହରେ ୧୭୦୦ ସାଇକେଲ୍‌ ବୁକିଂ ହୋଇଥିବା ରେକର୍ଡ ମଧ୍ୟ ରହିଛି। ହେଲେ ଅଧିକାରୀମାନଙ୍କର ଆନ୍ତରିକତା ଅଭାବରୁ ‘ମୋ ସାଇକେଲ୍‌’ ରାସ୍ତା କଡ଼ରେ ଖତ ଖାଉଛି। କେଉଁ ସାଇକେଲ୍‌ର ସିଟ୍‌ ନଥିବା ବେଳେ କେଉଁ ସାଇକେଲ୍‌ ସିଟ୍‌ରେ ବସିବା ସୁଯୋଗ ନାହିଁ। ଅଧିକାଂଶ ସାଇକେଲ୍‌ରେ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସ୍କାନ୍‌ କରିବାକୁ ଥିବା କ୍ୟୁଆର କୋଡ୍‌କୁ କେହି ଛିଡ଼ାଇ ନେଲାଣି। ଫଳରେ ବୁକିଂ କରି କେହି ସାଇକେଲ୍‌ ଚଲାଇବାକୁ ଚାହିଲେ ବି ଚଲାଇ ପାରୁନାହିଁ, କାରଣ କ୍ୟୁଆର କୋଡ୍‌ ସ୍କାନ୍‌ ନ ହେଲେ ସାଇକେଲ୍‌ ତାଲା ଖୋଲିବନି। ଏ କଥା ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥା ଜାଣିପାରୁନି ନା ‘ମୋ ସାଇକେଲ୍‌’ର ଆଉ ଚାହିଦା ନାହିଁ ବୋଲି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆଉ ଏହା ଉପରେ ନଜର ଦେଉ ନାହାନ୍ତି?

୨୦୧୮ରେ ଆରମ୍ଭ ହୋଇ ୨୦୨୧ ମସିହା ଜୁଲାଇ ମାସରେ ସାଇକେଲ୍‌ ଯୋଗାଇଥିବା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ସଂସ୍ଥା ଶହ ଶହ ସାଇକେଲ୍‌କୁ କାଟି କବାଡ଼ିଆଙ୍କୁ ବିକି ଦେଇଥିଲା। ଯାହାକୁ ନେଇ ତନାଘନା ହୋଇଥିଲା। ସ୍ମାର୍ଟ ସିଟି ଲିମିଟେଡ୍‌ ଥାନାରେ ଏତଲା ଦେବା ସହ ବିକ୍ରି ହୋଇଥିବା ସମସ୍ତ ସାଇକେଲ୍‌ ସମ୍ପୃକ୍ତ ସଂସ୍ଥାଠାରୁ ଆଦାୟ କରିଥିଲା। କିନ୍ତୁ ନା ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିଲା, ନା ଏହି ଘଟଣାରୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କିଛି ଶିଖିଥିଲେ। ସେବେଠାରୁ ଏହି ସାଇକେଲ୍‌ର ବ୍ୟବହାର ଦ୍ରୁତ ଗତିରେ କମିବାରେ ଲାଗିଥିଲା। ଭଙ୍ଗା ଦଦରା ସାଇକେଲ୍‌ ରାସ୍ତା କଡ଼ରେ ପଡ଼ିରହିଲା। ଏମିତି ତ ଚାହିଦା ନଥିଲା, କିନ୍ତୁ କେହି ଯଦି ଚଲାଇବାକୁ ଚାହୁଥିଲା ସେ ଏଭଳି ଅବସ୍ଥା ଦେଖି ଆଉ ବୁକ୍‌ କରୁନଥିଲା। ଏତିକିବେଳେ ୫ କୋଟି ଟଙ୍କାର ଏହି ସାଇକେଲ୍‌ କିଣାକିଣିରେ ମୋଟା ଅଙ୍କର କିକ୍‌ ବ୍ୟାକ୍‌ ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ବିଜେପି ଚେତାବନୀ ଦେଇଥିଲା। କିନ୍ତୁ କିଛି ଦିନ ପରେ ଦଳ ଏହି ‘ମୋ ସାଇକେଲ୍‌’ କଥା ଭୁଲି ଯାଇଥିଲା।

‘ମୋ ସାଇକେଲ୍‌’ର ଏଭଳି ସ୍ଥିତିକୁ ଦେଖିବା ପରେ କର୍ପୋରେଟର ନୃପେଶ କୁମାର ନାୟକ ଗତ ଜାନୁଆରି ମାସ କର୍ପୋରେସନ ବୈଠକରେ ଏକ ପ୍ରସ୍ତାବ ଦେଇଥିଲେ ‌ଯେ ବର୍ଷ ବର୍ଷ ଧରି ‘ମୋ ସାଇକେଲ୍‌’ ବ୍ୟବହାର ହେଉନି। ରାସ୍ତାକଡ଼ରେ ପଡ଼ି ସହରର ସୌନ୍ଦର୍ଯ୍ୟ ନଷ୍ଟକରୁଛି, ବ୍ୟବହାର ନ ହେବାରୁ ଏହା ନଷ୍ଟ ହେବାରେ ଲାଗିଛି। ଏଣୁ ବିଏମ୍‌ସି ଏସବୁକୁ ସାଇକେଲ୍‌ ବସ୍ତିପିଲା କିମ୍ବା ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦେବା ଉଚିତ୍‌। ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଆଉ ୫୦ କିମି ସାଇକେଲ୍‌ ଟ୍ରାକ୍‌ ବିଏମ୍‌ସି ନିର୍ମାଣ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ କର୍ପୋରେସନର ଏହି ନିଷ୍ପତ୍ତିକୁ ବିଏସ୍‌ସିଏଲ୍‌ ଗ୍ରହଣ କରିନଥିଲା। ବିଏସ୍‌ସିଏଲ୍‌କୁ ଅବଗତ ନ କରାଇ କର୍ପୋରେସନ ନେଇଥିବା ଏଭଳି ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବା ସହ କର୍ତ୍ତୃପକ୍ଷ ‘ମୋ ସାଇକେଲ୍‌’ ପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରିବାକୁ କହିଥିଲେ। କିନ୍ତୁ ଏହି ଘଟଣାକୁ ୯ ମାସ ବିତିଥିଲେ ମଧ୍ୟ ‘ମୋ ସାଇକେଲ୍‌’କୁ ଜନାଦ୍ରୁତ କରିବା ପାଇଁ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଏଣୁ କିଣାରେ ୫ କୋଟି ଓ ରକ୍ଷଣା ବେକ୍ଷଣରେ ୨ କୋଟି, ଏଭଳି ୭ କୋଟିରୁ ଊର୍ଦ୍ଧ୍ବ ବ୍ୟୟର ଏହି ପ୍ରକଳ୍ପ ନଷ୍ଟ ହେବାରେ ଲାଗିଛି। ବାସ୍ତବରେ ସ୍ମାର୍ଟ ସିଟି ପ୍ରକଳ୍ପର ଅବଧୀ ଶେଷ ହେବାକୁ ବସିଥିବାରୁ କର୍ତ୍ତୃପକ୍ଷ ଏଥିରେ ମୁଣ୍ଡ ଖେଳାଉନଥିବା କୁହାଯାଉଛି। ତେବେ ‘ମୋ ସାଇକେଲ୍‌’କୁ ନେଇ ନିକଟ‌ରେ ବଡ଼ ନିଷ୍ପତ୍ତି ନିଆଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Spread the love