ବାପାର ଚିକିତ୍ସା ପାଇଁ ୩୫ କିଲୋମିଟର ଟ୍ରଲି ଭିଡିଲା ଝିଅ

ବାପାର ଚିକିତ୍ସା ପାଇଁ ୩୫ କିଲୋମିଟର ଟ୍ରଲି ଭିଡିଲା ଝିଅ।  ବାପା ପାଇଁ ଝିଅଟିଏ କଣ ନକରିପାରେ ? ମା ପରି ସବୁ କିଛି ଦାୟିତ୍ବ ନେଇପାରେ। ଏମିତିକି ବାପା ରୋଗ ବିଛଣାରେ ପଡିଥିଲେ ପ୍ରଥମେ ଝିଅଟିର ଅନ୍ତର କାନ୍ଦି ଉଠେ । ଏଥିପାଇଁ ତ ବାପା ଝିଅ ସମ୍ପର୍କ ସବୁଠାରୁ ନିଆରା। ୧୪  ବର୍ଷର ଝିଅ ନିଜ ଆହତ ବାପାକୁ ସରକାରୀ ଡାକ୍ତରଖାନାରୁ ଚିକିତ୍ସା କରି ଟ୍ରଲିରେ ବସାଇ ନିଜ ଘରକୁ ନେଉଥିବା ବେଳେ ସମ୍ପୃକ୍ତ ବାପ ଝିଅ ଗଣମାଧ୍ୟମକୁ ଦେଖି ବାଟରେ ଅଟକିଥିଲେ । ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସହଯୋଗ ର ପୁଣି ଥରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତି ହେଲେ।

ଏଭଳି ଘଟଣା ଆଜି ଭଦ୍ରକରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ନଦିଗାଁ ନିବାସୀ  ଶମ୍ଭୁନାଥ ସେଠୀଙ୍କର ହାତ ଭାଙ୍ଗିଥିଲା।  ଶମ୍ଭୁଙ୍କ ୧୪ ବର୍ଷର ଝିଅ ସୁଜାତା ସେଠୀ ଗତ ୨୩ ତାରିଖ ଦିନ ପ୍ରଥମେ ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ଧାମନଗର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଦୀର୍ଘ ୩୫ କିମି ଟ୍ରଲିରେ ବୋହି ଆଣିଥିଲା । ତେବେ ୭  ଦିନ ପରେ ଅସ୍ତ୍ରୋପ୍ରଚାର ହେବା ନେଇ ଡାକ୍ତର ପରାମର୍ଶ ଦେବା ପରେ ଆଜି ଶମ୍ବୁଙ୍କୁ ଡିସ୍ଚାର୍ଜ କରିଥିଲେ ।  ଶମ୍ଭୁ ଡିସ୍ଚାର୍ଜ ହେବା ପରେ ପୁଣି ପୁନର୍ବାର ତାଙ୍କ ଝିଅ ଟ୍ରଲିରେ ବସାଇ ଘରକୁ ଯିବା ଆରମ୍ଭ କରିଥିଲେ। ଆଉ ଏତିକି ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ  ନଜର ପଡିଥିଲା ଗଣମାଧ୍ୟମ ପ୍ରତିନିଧିଙ୍କର । ତେଣୁ ସେମାନେ ଉଭୟ ବାପ ଝିଅଙ୍କ ପାଖରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ।  କଣ ହୋଇଛି ଓ କାହିଁକି ବାପାଙ୍କୁ ଟ୍ରଲିରେ ବୋହୁଛ ବୋଲି ଝିଅକୁ ପଚାରିଥିଲେ ବିଧାୟକ।  ଆଉ ଘଟଣାର ଗୁରୁତ୍ୱକୁ ବୁଝି   ବିଧାୟକ ମହାଶୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ କହିଥିଲେ।  ସିଡିଏମଓ ମଧ୍ୟ ତତକ୍ଷଣାତ ଘଟଣା ସ୍ଥଳରେ  ପହଞ୍ଚିଥିଲେ  ଓ ସମ୍ପୃକ୍ତ ବାପ ଝିଅଙ୍କ ଠାରୁ ସମସ୍ତ କଥା ପଚାରିବୁଝିବା ପରେ ପୂବର୍ବାର ଭଦ୍ରକ ସହର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ଅଧିକ ଚିକିତ୍ସା କରାଇବା ନିମନ୍ତେ ବିଧାୟକଙ୍କୁ ଜଣାଇଥିଲେ ।

ସେହି ସମୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ନିଜ ଅଂଚଳକୁ ଯାଉଥିବା ବେଳେ ହାବୁଡ଼ିଥିଲେ ଏହି ବାପ ଝିଅଙ୍କୁ।  ବାପ ଝିଅଙ୍କୁ ଆଶ୍ୱାସନା ଦେବା ସହ ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ  ଏବଂ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଥିଲେ। ତେବେ ମୋବାଇଲ ଏବଂ ଆବଶକୀୟ ଟଙ୍କା ନ ଥିବାରୁ ସେ ନିଜ ବାପାଙ୍କୁ ପୁଣି ଥରେ ଟ୍ରଲିରେ ବସାଇ ନିଜ ଘରକୁ ନେଉଥିବା ସେ କହିଛନ୍ତି । ଏହି ଘଟଣା ଭଦ୍ରକରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love