୨ ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ: ଅଣପଞ୍ଜିକୃତ ହବିଷ୍ୟାଳି କେଉଁଠି ରହିବେ?

ପୁରୀ: ଆଉ ଦୁଇଦିନ ପରେ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ଏବେଠୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ବ୍ୟବସ୍ଥା କରିଛନ୍ତି। କିନ୍ତୁ ପ୍ରଶାସନ ଯେଉଁ ୫ଟି ରହଣୀସ୍ଥଳ ସ୍ଥିର କରିଛନ୍ତି, ସେଥିରେ ମାତ୍ର ୩୦୨୪ଜଣ ହବିଷ୍ୟାଳି ରହିପା‌ରିବେ। ଇତିମଧ୍ୟରେ ଏହି ୫ଟି ରହଣୀସ୍ଥଳରେ ରହିବା ପାଇଁ ଆଶାୟୀ ହବିଷ୍ୟାଳିଙ୍କ ପଞ୍ଜୀକରଣ ଶେଷ ହୋଇଛି। ଅଧିକ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରଶାସନ ପାଖରେ ଆଉ ଜାଗା ନାହିଁ। ତେଣୁ ବହୁ ହବିଷ୍ୟାଳି ଏବେ ନିରାଶ। ନାମପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ମାତ୍ର ମିଳୁଥିବା ସୂଚନା ଅନୁସାରେ, ସେମାନେ ପୁରୀରେ ହିଁ ହବିଷ ବ୍ରତ କରିବେ। ଅତଏବ, ଗତବର୍ଷ ଭଳି ଏଥର ମଧ୍ୟ ଅଣପଞ୍ଜିକୃତ ହଜାର ହଜାର ହବିଷ୍ୟାଳି ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି। ଏ ଆଶଙ୍କା ବଢ଼ିଲାଣି। ଏଥିସହିତ ଗତବର୍ଷ ଭଳି ଏବର୍ଷ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଲାଣି।

ପ୍ରତିବର୍ଷ ରାଜ୍ୟ ସରକାର କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରହିବା, ଖାଇବା ଆଦିର ମାଗଣା ବ୍ୟବସ୍ଥା କରୁଛନ୍ତି। ଚଳିତବର୍ଷ ରହଣୀ ପାଇଁ ବୃନ୍ଦାବତୀ ନିବାସ, ବାଗେଡ଼ିଆ ଧର୍ମଶାଳା, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଓ ମୋଚିସାହିସ୍ଥିତ ପୌର କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ଏବର୍ଷ ରାଜ୍ୟରୁ ମୋଟ୍‌ ୩ହଜାର ୨୪ଜଣ ହବିଷ୍ୟାଳିଙ୍କ ନାମ ପଞ୍ଜୀକରଣ ହୋଇଛି। ଜିଲ୍ଲାୱାରି ଦେଖିଲେ, ଅନୁଗୁଳରୁ ୧୫ଜଣ, ବଲାଙ୍ଗୀରରୁ ୧୪ଜଣ, ବାଲେଶ୍ବରରୁ ୭୨ଜଣ, ବରଗଡ଼ରୁ ୭ଜଣ, ଭଦ୍ରକରୁ ୭୯ଜଣ, ବୌଦ୍ଧରୁ ୯ଜଣ, କଟକରୁ ୫୧ଜଣ, ଦେବଗଡ଼ରୁ ୮ଜଣ, ଢେଙ୍କାନାଳରୁ ୧୦ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୩୮୫ଜଣ, ଜଗତସିଂହପୁରରୁ ୫୩ଜଣ, ଯାଜପୁରରୁ ୬୩ଜଣ, ଝାରସୁଗୁଡ଼ାରୁ ୨ଜଣ, କଳାହାଣ୍ଡିରୁ ୫ଜଣ, କନ୍ଧମାଳରୁ ୯ଜଣ, କେନ୍ଦ୍ରାପଡ଼ାରୁ ୨୨ଜଣ, କେନ୍ଦୁଝରରୁ ୩୦ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୯୧୧ଜଣ, କୋରାପୁଟରୁ ୨୦ଜଣ, ମାଲକାନାଗିରିରୁ ଜଣେ, ମୟୁରଭଞ୍ଜରୁ ୪ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୩୧୦ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୮୭୫ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୨୭ଜଣ, ସୋନପୁରରୁ ୧୧ଜଣ ଓ ସୁନ୍ଦରଗଡ଼ରୁ ୧୫ଜଣ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳି ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ନାମ ପଞ୍ଜିକରଣ ପାଇଁ ଆହୁରି ଅନେକ ଚାହୁଥିଲେ ବି ସେମାନଙ୍କୁ ପଞ୍ଜୀକରଣରୁ ବଞ୍ଚିତ କରାଯାଇଛି।

ହବିଷ୍ୟାଳି ଶିବିରରେ ଜାଗା ନ ଥିବା କହି ଅନ୍ୟମାନଙ୍କୁ ଫେରାଇ ଦିଆଯାଇଛି। ଏହାକୁ ନେଇ ହବିଷ୍ୟାଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୀର ଯୋଗୀନ୍ଦ୍ର ପାଲ୍‌ କହିଛନ୍ତି, ହବିଷ୍ୟାଳି ଶିବିରରେ ରହିବା ପାଇଁ ସେ ଜଣେ ସମ୍ପର୍କୀୟଙ୍କ ନାମ ପଞ୍ଜୀକରଣ କରିବାକୁ ଚାହୁଥିଲେ। କିନ୍ତୁ ଆଉ ଜାଗା ନ ଥିବା କହି ତାଙ୍କୁ ସିଧାସଳଖ ମନା କରିଦିଆଗଲା। ଯଦି ସରକାର ବ୍ୟବସ୍ଥା କରୁଛନ୍ତି, ସବୁ ହବିଷ୍ୟାଳିଙ୍କ ପାଇଁ କରନ୍ତୁ। ଅଯଥା କଲବଲ କରାନଯାଉ ବୋଲି ସେ କ୍ଷୋଭର ସହ କହିଛନ୍ତି। ଚଳିତବର୍ଷ ହବିଷ୍ୟାଳି ଶିବିର ପରିଚାଳନାରେ ଥିବା ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ କହିଛନ୍ତି, ଆମେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ଶିବିରର ବ୍ୟବସ୍ଥା କରିଛୁ। ସେଠାରେ ଯେତିକି ହବିଷ୍ୟାଳି ରହିପାରିବେ, ସେତିକି ନାମ ପଞ୍ଜୀକରଣ କରାଯାଇଛି। ଅଧିକ ହବିଷ୍ୟାଳିଙ୍କ ନାମ ପଞ୍ଜୀକରଣ କଲେ, ଆମେ ରଖି ପାରିବୁନି। ଯଦି ବିନା ପଞ୍ଜୀକରଣରେ ହବିଷ୍ୟାଳି ପହଞ୍ଚନ୍ତି, ସେମାନଙ୍କ ରହିବାର କିଛି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି କି ବୋଲି ପ୍ରଶ୍ନରେ ସେଭଳି କିଛି କରାଯାଇନି ବୋଲି ସେ କହିଛନ୍ତି।

Spread the love