କଂଗ୍ରେସ ବିଧାୟିକାଙ୍କ ଘରୁ ମୃତାବସ୍ଥାରେ ଉଦ୍ଧାର ହେଲେ ୨୪ ବର୍ଷିୟ ଯୁବକ; ପୁତୁରା ହତ୍ୟା କରିଥିବା ସନ୍ଦେହ

ପାଟନା: ବିହାର ରାଜ୍ୟର ନୱାଦା ଜିଲ୍ଲାର ନରହଟସ୍ଥିତ ହିସୁଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ନୀତୁ ସିଂହଙ୍କ ବାସଭବନରୁ ଶନିବାର ଦିନ ଜଣେ ୨୪ ବର୍ଷିୟ ଯୁବକଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ମୃତ ଯୁବକ ହେଉଛନ୍ତି ନୀତୁ ସିଂହଙ୍କ ଦୂର ସମ୍ପର୍କୀୟ ପୀୟୂଷ ସିଂହ। ତାଙ୍କ ଶବ ଉଦ୍ଧାର କରାଯିବା ବେଳେ ବିଧାୟିକା ବାସଭବନରେ ନ ଥିଲେ ବୋଲି ନୱାଦା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମ୍ବରିଶ ରାହୁଲ୍‌ କହିଛି। ଅଳ୍ପ କେତେ ଦିନ ହେବ ନୀତୁ ସିଂହ ପାଟନାରେ ଯାଇଛନ୍ତି। ଘଟଣା ଘଟିବା ସମୟରେ ନୀତୁଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ମଧ୍ୟ ଘରେ ଉପସ୍ଥତ ନ ଥିଲେ। ପାହାନ୍ତା ୪.୩୦ରେ ବିଧାୟକଙ୍କ ଘରେ ଶବ ଥିବା ଖବର ପାଇବା ପରେ ପୁଲିସ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲେ ବୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି।

ସେ କହିଛନ୍ତି, ନୀତୁ ସିଂହଙ୍କ ପୁତୁରା ଗୋଲୁ ସିଂହଙ୍କ ପ୍ରକୋଷ୍ଠରୁ ପୁଲିସ ପୀୟୂଷ ସିଂହଙ୍କ ଶବ ଉଦ୍ଧାର କରିଛନ୍ତି। ଗୋଲୁ ସିଂହ ହେଉଛନ୍ତି ନୀତୁ ସିଂହଙ୍କ ଭିଣୋଇ ସୁମନ ସିଂହ ଓ ଭଉଣୀ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଆଭା ସିଂହଙ୍କ ପୁଅ। ପୀୟୂଷ ଓ ଗୋଲୁ ହେଉଛନ୍ତି ସମ୍ପର୍କୀୟ ଭାଇ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଶନିବାର ସନ୍ଧ୍ୟା ୭ଟାରେ ପୀୟୂଷ ସିଂହ ଗୋଲୁ ସିଂହଙ୍କ ଘରକୁ ଯାଇ ଆଉ ଫେରି ନ ଥିଲେ। ରାତିରେ ଗୋଲୁ ତାଙ୍କୁ ହତ୍ୟା କରିଥିବା କଥା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ ‘ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବ୍ରଟରି’ ବିଶେଷଜ୍ଞ ଓ ସନ୍ଧାନୀ କୁକୁର ମଗାଇ  ନୀତୁ ସିଂହଙ୍କ ଘର ତଲାସ କରିଛି। ସନ୍ଦିଗ୍ଧ ଗୋଲୁ ସିଂହ ଫେରାର ହୋଇଯାଇଛନ୍ତି। ତେଣୁ, ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡର ପ୍ରକୃତ ସମୟ ଜଣାପଡ଼ିଯିବ।

Spread the love