‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ମୁମ୍ବାଇ: ଆଜି ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁଶଳ ମେଣ୍ଡିସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୧.୩ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ଭାରତ ୮ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଥିଲେ ରୋହିତ ଶର୍ମା ଓ ଶୁବମନ୍‌ ଗିଲ୍‌। କିନ୍ତୁ, ୪ ରନ୍‌ କରିଥିବା ରୋହିତ ଶର୍ମା ଶ୍ରୀଲଙ୍କା ବୋଲର୍‌ ଦିଲ୍‌ଶାନ୍‌ ମଦୁଶଙ୍କାଙ୍କଦ୍ବାରା ଆଉଟ୍‌ ହେବା ପରେ ତାଙ୍କ ସ୍ଥାନରେ ଖେଳୁଛନ୍ତି ବିରାଟ କୋହଲି।

ଶ୍ରୀଲଙ୍କା ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଦିଲ୍‌ଶାନ୍‌ ମଦୁଶଙ୍କା ଓ ଦୁଷ୍ମନ୍ତ ଚମୀରା। ‘ଟସ୍‌’ ଜିଣିବା ପରେ ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍‌ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ। ୱିକେଟ୍‌ ଭଲ ଥିବା ପରି ମନେ ହେଉଛି। ଦ୍ବିତୀୟାର୍ଦ୍ଧରେ ବ୍ୟାଟିଙ୍ଗ୍‌ ପାଇଁ ସୁବିଧା ହେବ। ଗତ ଦୁଇତିନିଟି ମ୍ୟାଚ୍‌ରେ ଭଲ ଖେଳିଛୁ। ବାକି ୩ଟି ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ, ସମସ୍ତେ ଯତ୍ନବାନ୍‌ ହେବେ ବୋଲି ଆଶା କରୁଛି। ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ବି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ଚାହୁଁଥିଲୁ। ପିଚ୍‌ ଭଲ ଦିଶୁଥିଲେ ବି ପ୍ରାରମ୍ଭରେ ଖେଳ କଷ୍ଟକର ହୋଇପାରେ। ଦ୍ବିତୀୟାର୍ଦ୍ଧରେ ଷ୍ଟାଡିୟମ୍‌ର ଆଲୋକରେ ବୋଲିଙ୍ଗ୍‌ ସୁନ୍ଦର ହେବ। ଟିମ୍‌ ଭଲ ଖେଳି ଆସିଛି ଓ ସେହି ଧାରା ବଜାୟ ରଖିବାକୁ ପଡ଼ିବ।

ଆଜି ଭାରତ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ ଶାମି, ଜସ୍‌ପ୍ରୀତ୍‌ ବୁମ୍‌ରା, କୁଳଦୀପ ଯାଦବ ଓ ମହମ୍ମଦ ସିରାଜ। ସେହିପରି ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପତୁମ୍‌ ନିଶଙ୍କ, ଦିମୁତ କରୁଣାରତ୍ନେ, କୁଶଳ ମେଣ୍ଡିସ୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଅସଲଙ୍କା, ଏଞ୍ଜେଲିଓ ମ୍ୟାଥ୍ୟୁସ୍‌, ଦୁଶଣ ହେମନ୍ତ, ମହୀଶ ତୀକ୍ଷଣା, କସୁନ ରଜିତ, ଦୁଷ୍ମନ୍ତ ଚମୀରା ଓ ଦିଲ୍‌ଶାନ୍‌ ମଦୁଶଙ୍କା।

Spread the love