ବିନା ନୋଟିସରେ ବ୍ୟାନ୍ କଲେ, ସମାଧାନ ବେଳେ ମନୋଜ ମିଶ୍ରଙ୍କୁ ଡାକୁଛନ୍ତି କାହିଁକି: କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର: ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ପୁଣି ବାହାରିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଓଲିଉଡ କଳିକୁ ନେଇ ପୁଣି ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ଉପରେ ବାରମ୍ବାର ଆଘାତ କରାଯାଉଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି। କୌଣସି ଦାବି ଶୁଣୁନାହାନ୍ତି। ପଶ୍ଚିମ ଓଡ଼ିଶାର କଳାକାରଙ୍କ ବିରୁଦ୍ଧରେ ଆକ୍ସନ ନିଆଗଲା। ମନୋଜ ମିଶ୍ର ତାଙ୍କ ମତ ସ୍ପଷ୍ଟ କରିଛନ୍ତି। ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। କିଛି କଳାକାର କହିଲେ ରାଜନୀତି ପଶିଗଲା। ରାଜନେତାଙ୍କ ଅଧିକାର ସବୁ ଘଟଣାରେ  ପଶିବେ। କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଛନ୍ତି, ସୋସିଆଲ ମିଡିଆରେ ଦେଖନ୍ତୁ ନିଆଁ ଲାଗିଛି। ପୂର୍ବ ଓଡ଼ିଶା ଲୋକ ସୋସିଆଲ ମିଡିଆରେ ଯେମିତି ଗାଳି କରୁଛନ୍ତି, ନିଆଁରେ ଘିଅ ଢାଳୁଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର କଳି ସମାଧାନ କରିବେ? ଯେଉଁ ମାନେ ବ୍ୟାନ୍ କରିଛନ୍ତି ବିନା ନୋଟିସରେ କରିଛନ୍ତି। ପ୍ରତ୍ୟାହାର କରିବେ କହୁଛନ୍ତି ସେଇଟା ଆଗ କରନ୍ତୁ। ବ୍ୟାନ୍ ବେଳେ ଡାକିଥିଲେ କି ମନୋଜ ମିଶ୍ରଙ୍କୁ ଆଲୋଚନା ପାଇଁ? ବିନା ନୋଟିସରେ ବ୍ୟାନ୍ କଲେ ତା’ହେଲେ  ସମାଧାନ ବେଳେ ମନୋଜଙ୍କୁ ଡାକୁଛନ୍ତି କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ସରକାର ନିଷ୍ପତ୍ତି ନେବେ ନହେଲେ ଜନ ସାଧାରଣ ନେବେ। ଜଣେ ନିଆଁ ଲଗାଇଦେବ, ଯଦି ଘର ପୋଡ଼ିଯିବ ତେବେ ସମାଧାନ କରିବ କିଏ? ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି? ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ଓଡ଼ିଶା ଦୁଇ ଭାଗ ହେଇଯାଉ? ଯଦି ଓଡ଼ିଶା ଦୁଇ ଭାଗ ହେବ, ସେଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ମତ ରଖିଛନ୍ତି ନରସିଂହ ମିଶ୍ର।

Spread the love