୨୮ ତାରିଖରେ ହେବ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ

ଆସନ୍ତା ୨୮ ତାରିଖରେ ହେବ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ।

ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ । ଏନେଇ ନୀତି ସବ୍ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି ।

ପ୍ରତିଷ୍ଠା ଉତ୍ସବରେ ତିନିଦିନ ବ୍ୟାପୀ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ ହେବ । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀଙ୍କୁ ସବୁ ଆନୁଷଙ୍ଗିକ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଗନ୍ନାଥ ବଲ୍ଲଭ ମଠରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି।

ଏପଟେ ଆଜି ଭୋର ସାଢ଼େ ୪ଟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁବିଧାରେ ପହଞ୍ଚିବେ ସେନେଇ ଶ୍ରୀମନ୍ଦିର ସହ aସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ କହିଛନ୍ତି ଭିକେ ପାଣ୍ଡିଆନ। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟରକୁ ଯାଇ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଏହାପୂର୍ବରୁ ଗତକାଲି ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଯାତ୍ରୀ ପରିକ୍ରମା ପ୍ରକଳ୍ପ ଏକ ବିରାଟ କାର୍ଯ୍ୟ ବୋଲି ସେ କହିଥିଲେ।  ଏବେ କାର୍ତ୍ତିକ ମାସ ଚାଲିଥିବା ବେଳେ ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼ ଲାଗିଛି । ଆଗକୁ ପଞ୍ଚୁକ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ପରିଚାଳନା କମିଟି ବୈଠକରେ ଗୁରୁତ୍ବ ଦିଆଯାଇଛି ।

Spread the love