ପ୍ରକୃତିଙ୍କ ପ୍ରଥମ ବଲିଉଡ୍ ସିନେମା : ସାଇକଲୋଜିକାଲ୍‌ ଥ୍ରିଲର୍ ‘ପ୍ରଚଣ୍ଡ’

ମୁମ୍ବାଇ : ବର୍ତ୍ତମାନ ମୁମ୍ବାଇରେ ରହି ବଡ଼ ବଲିଉଡ୍‌ ବ୍ରେକ୍‌କୁ ଅପେକ୍ଷା କରୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନିକଟରେ ନିଜର ପ୍ରଥମ ବଲିଉଡ୍‌ ଫିଲ୍ମ ‘ପ୍ରଚଣ୍ଡ’ର ପ୍ରଥମ ପୋଷ୍ଟରକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ନିର୍ମଲ ଜୟସ୍ବାଲ ପ୍ରଡକ୍‌ସନ୍‌ସ ଓ ଡକ୍ଟର ବୁ ଅବଦୁଲ୍ଲା ଗ୍ରୁପ୍‌ ଅଫ୍ କମ୍ପାନିଜ୍‌ର ମିଳିତ ସହଯୋଗରେ ତିଆରି ହେଉଥିବା ‘ପ୍ରଚଣ୍ଡ’ର ନିର୍ଦ୍ଦେଶକ ଅଛନ୍ତି ସୁଶାନ୍ତ ପଣ୍ଡା। ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ଏହାର ସହପ୍ରଯୋଜକ ଅଛନ୍ତି ପୀତବାସ ଓ ଡ.ସୌମ୍ୟରଂଜନ ପ୍ରଧାନ। କ୍ରିଏଟିଭ୍‌ ପ୍ରଯୋଜକ ଅଛନ୍ତି ସତୀଶ ତ୍ରିପାଠୀ। ‘ପ୍ରଚଣ୍ଡ’ରେ ପ୍ରକୃତିଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ, ମନୋଜ ମିଶ୍ର, ଜୟଜୀତ ଦାସ, ଅନନ୍ତ ମହାଦେବନ ଓ ଅତୁଲ ଶ୍ରୀବାସ୍ତବ।

ଫିଲ୍ମଟିକୁ ନେଇ ପ୍ରକୃତି ‌ବେଶ୍‌ ଖୁସି ଜଣା ପଡୁଛନ୍ତି, ତାହା ସ୍ବାଭାବିକ ମଧ୍ୟ।ଅବଶ୍ୟ ପ୍ରକୃତି ‘ପ୍ରଚଣ୍ଡ’ର କାହାଣୀ ବିଷୟରେ କିଛି ସୂଚନା ଦେଇ ନାହାନ୍ତି। ତେବେ ଶୁଣିବାକୁ ମିଳୁଛି ଯେ ‘ସାଇକଲୋଜିକାଲ୍‌ ଥ୍ରିଲର୍’ କୁହା ଯାଉଥିବା ଏ ଫିଲ୍ମର କେନ୍ଦ୍ରରେ ଅଛନ୍ତି ଦୁଇଭାଇ- ବିରୁ ଓ ନିରୁ। ଏ ଦୁଇଭାଇଙ୍କ ମନରେ ଗୋଟିଏ ଧାରଣା ରହିଛି ଯେ ସବୁ ଭଗବାନଙ୍କର ଇଚ୍ଛା। ମଣିଷ କେବଳ ଈଶ୍ବରଙ୍କ ଇଚ୍ଛାର ପ୍ରତିଫଳନ। ଅର୍ଥାତ୍‌ ଈଶ୍ବର ଯାହା କରୁଛନ୍ତି, ମଣିଷ ତାହା ହିଁ କରୁଛି ବା ତାଙ୍କ ଆଦେଶ ପାଳନ କରୁଛି। ତେଣୁ ସେମାନେ ନିଜର ଅପକର୍ମ ପାଇଁ ମଧ୍ୟ ଅବସୋସ ନକରି ଭାବୁଛନ୍ତି- ଇଏ ଭଗବାନଙ୍କର ଇଚ୍ଛା। କାହାଣୀଟା ଆକର୍ଷଣୀୟ ଲାଗୁଛି, ନୁହେଁକି? ବାକିକଥା ଜାଣିବାକୁ ଆଉ କିଛିଦିନ ଅପେକ୍ଷା କରିବା।

Spread the love