ଆସୁଛି ଦୀପାବଳି, ମାଟି ଦୀପର ଚାହିଦା ନାହିଁ

ଜୟପୁର: ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଛି। ନିଜ ପରିବାରର ବଡ଼ ବଡୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଦୀପ ଲଗାଇ ଅମବାସ୍ୟାର ଅନ୍ଧାରକୁ ଆଲୋକିତ କରିବେ। ତେବେ ଏବର୍ଷ ମାଟି ଦୀପର ଚାହିଦା ସେତେଟା ନଥିବା କହିଛନ୍ତି ଜୟପୁର ବ୍ଲକ କୁମ୍ଭାରପୁଟ ଗାଁର ରଇଲା କୁମ୍ଭାର, ସୁକାନ୍ତି କୁମ୍ଭାର ଓ ସମ୍ବାରୁ କୁମ୍ଭାର। ଗତ ତିନି ଦିନ ହେବ ସେମାନେ ଦୀପ ନେଇ ଜୟପୁର ବଜାରକୁ ଏହି ଗାଁର ୪୦ଟି ପରିବାର ଆସୁଥିଲେ ହେଁ ଆଶାନୁରୁପ ବ୍ୟବସାୟ ହେଉନି। ଗତ ୪ମାସ ହେବ ଗାଁରୁ ବହୁ ଦୂରକୁ ଯାଇ ମାଟି ସଂଗ୍ରହ କରି ଭଳିକି ଭଳି ଏକ ଟଙ୍କାର ଦୀପ ଠାରୁ ଆରମ୍ଭ କରି ୨୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଆକାରର ଦୀପ ତିଆରି କରିଥିଲେ। ଯେଉଁ ଅନୁରୁପ ବିକ୍ରି କରିବା ଆଶା ଏମାନେ ରଖିଥିଲେ ତାହା ନିରାଶରେ ପାଲଟିଥିବା କହିଛନ୍ତି ରଘୁନାଥ କୁମ୍ଭାର, ଶ୍ୟାମ କୁମ୍ଭାର।

ବଜାରରେ ଚାଇନା ଦୀପ ଓ ମହମବତୀ ‌ଲୋକେ କିଣି ନେବା ସହ ଅନଲାଇନରେ ବି ବରାଦି ଦେଉଥିବା ଦେଖିବାକୁ ମିଳିଛି। ଏପରିକି ମହିଳା ଓ ପୁରୁଷ ମାନେ ସାହିକୁ ସାହି ଗଳିକୁ ଗଳି ବୁଲି ଦୀପ ବିକ୍ରୀ କରୁଥିଲେ ହେଁ ପୂର୍ବଭଳି କିଣୁ ନଥିବା ବି କହିଛନ୍ତି କିଛି କୁମ୍ଭକାର।  ଏଭଳି ହେଲେ ଏମାନଙ୍କର  ବୃତ୍ତିଗତ୍ତ ତଥା କୂଳବେଉସା ବୁଢ଼ିଯିବ ଏବଂ ସଂପ୍ରଦାୟ, ପରମ୍ପରା ହଜିଯିବ। ତେ‌ଣୁ ଲୋକେ ଦୀପାବଳିରେ ମାଟି ଦୀପ ଲଗାଇବା ସହ ସ୍ଥାନୀୟ କୁମ୍ଭକାରଙ୍କ ନିକଟରୁ କିଣିବାକୁ ଅନୁରୋଧ କରିଛନ୍ତି ସ୍ବେଚ୍ଛାସେବୀ ସତୀଶ ନନ୍ଦ,  ନିଶାନ୍ ପଟ୍ଟନାୟକ, ସତ୍ୟ ହୋତା, କାର୍ତ୍ତିକ ରାଉତ, ସ୍ବର୍ଣ୍ଣଲତା ପଣ୍ଡା, ସୁଶାନ୍ତ ପଣ୍ଡା । ଜିଲ୍ଲାପ୍ରଶାସନ , ଓରମାସ, ଜୀବିକା ମିଶନ ଦ୍ବାରା ଏମାନଙ୍କୁ ସାମିଲ କରି ଏହି କୌଳିକ ବୃତ୍ତିଧାରୀଙ୍କୁ ଉତ୍ତମ ବଜାର ଯୋଗାଇବାକୁ ଦାବି ହୋଇଛି।

Spread the love