ମହିଳା ଦୋକାନୀଙ୍କୁ ଭୁଜାଲିରେ ଭୁସି ହତ୍ୟା

ବାରଙ୍ଗ: ସୋମବାର ରାତିରେ ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳରେ ଘଟିଥିବା ତିନି ତିନିଟି ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଠିକ୍ ସେତିକିବେଳେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଗୋଠପାଟଣା ଛକରେ ଘଟିଥିଲା ଆଉ ଏକ ହତ୍ୟାକାଣ୍ଡ। ଜଳଖିଆ ଦୋକାନ କରିଥିବା ଜଣେ ମହିଳାଙ୍କ ପେଟରେ କେହି ଦୁର୍ବୃତ୍ତ ଭୁଜାଲି ଭୁସି ହତ୍ୟା କରିଛି। ମୃତ ମହିଳା ହେଲେ ମଳିପଡ଼ା କ୍ରିଷ୍ଣାପୁରୀରେ ରହୁଥିବା କଟକ ସଦର ଫୁଲନଖରା ଅଞ୍ଚଳର ସସ୍ମିତା ବେହେରା(୩୬)। ଗତକାଲି ରାତି ପ୍ରାୟ ୮ଟା ବେଳେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା ଏବଂ ରାତି ପ୍ରାୟ ୧୦ଟା ସୁଦ୍ଧା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଚନ୍ଦକା ଥାନା ପୁଲିସ ଗତ ରାତିରୁ ହତ୍ୟାକାରୀକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ସାମାନ୍ୟତମ ସୁରାକ ପାଇପାରିନାହିଁ। ଆଜି ସସ୍ମିତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଗୋଠପାଟଣା ଟ୍ରିପଲ୍‌ଆଇଟି ଛକରେ ସସ୍ମିତା ଓ ସ୍ବାମୀ ବିଶ୍ବନାଥ ବେହେରା ମିଶି ଏକ ଜଳଖିଆ ଦୋକାନ ଚଳାଉଥିଲେ। ଗତକାଲି ରାତି ପ୍ରାୟ ୮ଟା ବେଳେ ବିଶ୍ବନାଥ ଦୋକାନ ପାଇଁ ପାଣି ଆଣିବାକୁ ନିକଟସ୍ଥ ଏକ ନଳକୂଅକୁ ଯାଇଥିଲେ। ଏତିକିବେଳେ ୨ ଯୁବକ ଏକ ବାଇକ୍‌ରେ ଆସି ଦୋକାନ ସମ୍ମୁଖରୁ ସାମାନ୍ୟ ଦୂରରେ ଅଟକି ସସ୍ମିତାଙ୍କୁ ଡାକିଥିଲେ। ସସ୍ମିତା ସେଠାକୁ ଯିବା ପରେ ବାଇକ୍‌ ପଛରେ ଥିବା ଯୁବକ ହଠାତ୍ ତାଙ୍କ ପେଟରେ ଏକ ଭୁଜାଲି ଭୁସି ଦେଇଥିଲା। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରିଆସିଥିଲା। ତଥାପି ସେ ପେଟକୁ ଚାପି ଧରି ନିକଟସ୍ଥ ଚା’ ଦୋକାନ ପାଖକୁ ଧାଇଁ ଆସି ସେଠାରେ ତଳେ ପଡ଼ିଯାଇଥିଲେ। ସେତେବେଳକୁ ଦୁର୍ବୃତ୍ତଦ୍ବୟ ଫେରାର୍ ହୋଇଯାଇଥିଲେ। ସସ୍ମିତାଙ୍କ ଚିତ୍କାର ଶୁଣି ଚା’ ଦୋକାନୀ ଦୋକାନ ଭିତରୁ ବାହାରି ଆସିଥିଲେ ଏବଂ ନଳକୂଅ ପାଖରୁ ବିଶ୍ବନାଥ ଧାଇଁ ଆସିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତାଙ୍କୁ ଦେଖି ସେମାନେ ପାଟି କରି ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଚନ୍ଦକା ଥାନା ପୁଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲା। ମାତ୍ର ସଂଜ୍ଞାହୀନ ସସ୍ମିତାଙ୍କ ବୟାନ ରେକର୍ଡ କରାଇବା ସମ୍ଭବ ହୋଇନଥିଲା। ସ୍ବାମୀ ବିଶ୍ବନାଥ ମଧ୍ୟ କୌଣସି ଠୋସ୍‌ ସୁରାକ ଦେଇପାରିନଥିଲେ। ପ୍ରଥମରୁ ସସ୍ମିତା କେବଳ ଭୁଜାଲି ଭୁସିଥିବା ଯୁବକକୁ ଜାଣିଛନ୍ତି ବୋଲି କହିଥିବା ବିଶ୍ବନାଥ ପୁଲିସକୁ କହିଥିଲେ।

ଆଜି ସକାଳୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ଛାନ୍‌ଭିନ କରିଛି। ହତ୍ୟାକାରୀମାନେ କଣ୍ଟାବାଡ଼ ଦିଗରେ ପଳାଇଥିବାରୁ ପୁଲିସ ଉକ୍ତ ରାସ୍ତାରେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ହତ୍ୟାକାରୀ ସସ୍ମିତାଙ୍କ ଜଣାଶୁଣା ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। କିନ୍ତୁ ହତ୍ୟାକାଣ୍ଡ ପଛ‌ରେ କି ରହସ୍ୟ ରହିଛି, ତାହା ଏବେ ବି ଅସ୍ପଷ୍ଟ। ବରା, ପକୁଡ଼ି ତିଆରି କରି ବିକୁଥିବା ଏକ ଛୋଟ ଜଳଖିଆ ଦୋକାନୀଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରିବା ପଛରେ କି କାରଣ ରହିଛି, ତାହା ଏବେ ବଡ଼ ରହସ୍ୟ।

Spread the love