ଦୀପାବଳି ପାଇଁ ‘ସ୍ବର୍ଣ୍ଣମୁଦ୍ରା ମିଠେଇ’: ଗୋଟିକୁ ୧୪୦୦ ଟଙ୍କା; କିଲୋ ୨୧,୦୦୦ ଟଙ୍କା

ଅହମଦାବାଦ: ଦୀପାବଳି ଲାଗି ଲୋକେ ଆଗୁଆ ମିଠେଇ ବା ମିଠା ସଂଗ୍ରହ କରି ରଖୁଥିବା ବ‌େଳେ ଗୁଜରାଟ ରାଜ୍ୟ‌ର ଅହମଦାବାଦରେ ‘ସ୍ବର୍ଣ୍ଣମୁଦ୍ରା ମିଠେଇ’ ନାମରେ ଏକ ମିଷ୍ଟାନ୍ନର ଲୋକପ୍ରିୟତା ବୃଦ୍ଧି ପାଉଥିବା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୨୪ କ୍ୟାରେଟ୍‌ ସୁନା ବ୍ୟବହାର ହୋଇ ଗଢ଼ାଯାଇଥିବା ଏହି ମିଷ୍ଟାନ୍ନ ଲୋକଙ୍କ କୌତୂହଳର ସାମଗ୍ରୀ ହୋଇପାରିଛି। ଏହି ମିଷ୍ଟାନ୍ନ କିଲୋ ୨୧,୦୦୦ ଟଙ୍କାରେ ବିକ୍ରୟ ହେଉଥିବା ବ‌େଳେ ଗୋଟିକୁ ୧,୪୦୦ ଟଙ୍କା ପଡୁଛି। ଗୋଟିଏ କିଲୋରେ ୧୫ଟି ‘ସ୍ବର୍ଣ୍ଣମୁଦ୍ରା ମିଠେଇ’ ଉଠୁଛି। ଅହମଦାବାଦର ‘ଗ୍ବାଲିଆ ଏସ୍‌ବିଆର୍‌’ ଦୋକାନରେ ବିକ୍ରୟ ହେଉଥିବା ଏହି ମିଷ୍ଟାନ୍ନରେ ଆଲ୍‌ମଣ୍ଡ୍‌ ବାଦାମ, ବ୍ଲୁବେରି, ପିସ୍ତା ଓ କ୍ରାନ୍‌ବେରି ଭଳି ଅନେକ ପ୍ରକାରର ସାମଗ୍ରୀ ପଡ଼ିଛି।

ଦୋକାନର ଅନ୍ୟତମ କର୍ମଚାରୀ ରବୀନା ତିଲ୍‌ୱାନି କହନ୍ତି, ବିଶେଷକରି ଚଳିତ ବର୍ଷ ପାଇଁ ଏହି ‘ସ୍ବର୍ଣ୍ଣମୁଦ୍ରା ମିଠେଇ’ ତିଆରି କରାଯାଇଛି। ଏହାର ଚାହିଦା ବି ଖୁବ୍‌ ଭଲ ଅଛି। ଆମେ ବରାଦ ଅନୁସାରେ ଏହି ମିଠେଇ ତିଆରି କରୁଛୁ। ‘ସ୍ବର୍ଣ୍ଣମୁଦ୍ରା ମିଠେଇ’ ଛଡ଼ା ଆମେ ଅନ୍ୟାନ୍ୟ ମିଷ୍ଟାନ୍ନ ଓ ଶୁଖିଲା ଫଳ (ଡ୍ରାଏ ଫ୍ରୁଟ୍‌) ପାଇଁ ବି ବରାଦ ନେଉଛୁ। ଏହାର ମୂଲ୍ୟ ୩୫୦ ଟଙ୍କାରୁ ୧୫୦୦୦ ହଜାର ଟଙ୍କା ମଧ୍ୟରେ ରହୁଛି। କେତେକ ଲୋକ ନିଜ ପସନ୍ଦ ଅନୁଯାୟୀ ବିଶେଷ ବରାଦ ଦେଉଛନ୍ତି। ମିଷ୍ଟାନ୍ନ କିଣିବାକୁ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କ ଆଖି କିନ୍ତୁ, ଲାଖି ରହୁଛି ‘ସ୍ବର୍ଣ୍ଣମୁଦ୍ରା ମିଠେଇ’ ଉପରେ।

Spread the love