ସବୁଠୁ ମହଙ୍ଗା ହୋଟେଲରେ ଅଲାନା, ଜାଣନ୍ତୁ ରହଣି ଖର୍ଚ୍ଚ କେତେ

ଦୁବାଇ ପରି ସହର ଏପରିକି ନିଜର ଅବକ୍ଷୟ ପାଇଁ ଜଣାଶୁଣା ହୋଇଥିଲେ ହେଁ ସେଠାରେ ରହିଥିବା ‘ଆଟଲାଣ୍ଟିସ ଦି ରୟାଲ’ ନାମକ ହୋଟେଲ ବିଶ୍ବର ସବୁଠୁ ମହଙ୍ଗା ହୋଟେଲର ମାନ୍ୟତା ବହନ କରୁଛି। ଗୋଟିଏ ରାତିର ରହଣି ଭଡ଼ା ଲକ୍ଷେ ଡଲାର ବା ପ୍ରାୟ ୮୩ ଲକ୍ଷ ଟଙ୍କା ପଡୁଥିବା ଏହି ଅନନ୍ୟ ହୋଟେଲ ଅତିଥିମାନଙ୍କୁ ଅପ୍ରତିମ ବିଳାସ ଓ ଆରାମର ପ୍ରତିଶ୍ରୁତି ଦେଇଥାଏ। ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟା ଭଉଣୀ ତଥା କଣ୍ଟେଣ୍ଟ୍‌ କ୍ରିଏଟର ଅଲାନା ପାଣ୍ଡେ ନିକଟରେ ଏହି ହୋଟେଲରେ ରହିଥିଲେ। ସେ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଛଅ ତାରକା ହୋଟେଲ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।

‘ଆଟଲାଣ୍ଟିସ ଦି ରୟାଲ’ରେ ରହିଥିବା ‘ଦି ରୟାଲ୍‌ ମାନସନ୍‌’ ହେଉଛି ଏକ ଦୁଇମହଲା ପେଣ୍ଟ୍‌ହାଉସ ଯେଉଁଠାରୁ ଆରବ ସାଗର ଓ ଦୁବାଇ ଆକାଶର ବିସ୍ତୃତ ଦୃଶ୍ୟ ଉପଭୋଗ କରିହେବ। ରାତିକୁ ଲକ୍ଷେ ଡଲାର ଭଡ଼ା ଦେଇ ୪ଟି ଶୟନ କକ୍ଷ, ୪ଟି ସ୍ନାନାଗାର, ୧୨ ଆସନ ବିଶିଷ୍ଟ ଭୋଜନାଳୟ, ସମ୍ମିଳନୀ କକ୍ଷ, ଭିତର ଓ ବାହାର ରୋଷେଇଶାଳ, ଥିଏଟର, ବ୍ୟକ୍ତିଗତ ମଦ୍ୟଶାଳା, କ୍ରୀଡ଼ାଗୃହ, ୧୦ ଆସନ ବିଶିଷ୍ଟ ଆରବୀୟ ଶୈଳୀର ଭାସମାନ ସଭାଗୃହ ଓ ତାପ ନିୟନ୍ତ୍ରିତ ସନ୍ତରଣାଗାର ଆଦି ମିଳିପାରିବ ବୋଲି ଆଲାନା ବର୍ଣ୍ଣନା କରିଛନ୍ତି। ଗତ ଫେବ୍ରୁଆରି ମାସରେ ‘ଆଟଲାଣ୍ଟିସ ଦି ରୟାଲ’ର ଲୋକାର୍ପଣ ହୋଇଥିଲା ଯାହାର ଉଦ୍‌ଘାଟନୀ ଉତ୍ସବରେ ପ୍ରସିଦ୍ଧ ଆମେରିକୀୟ ଗାୟିକା ବିୟୋନ୍‌ସେ ସଂଗୀତ ପରିବେଷଣ କରିବା ସହ ଉକ୍ତ ମହଙ୍ଗା କକ୍ଷରେ ରହିଥିଲେ।

Spread the love