ଧନତେରାସ ପାଇଁ ଦୋକାନ ସଜା ଚାଲିଥିବା ବେଳେ ୩୨ ମିନିଟିରେ ଲୁଟି ହେଲା ୨୦କୋଟି ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଦୁନରେ ଧନତେରାସର ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସର ଅଳଙ୍କାର ଦୋକାନରେ ବଡ଼ ଧରଣର ଡକାୟତି ହୋଇଥିବା ଖବର ମିଳିଛି। ଡକାୟତମାନେ ମାତ୍ର ୩୨ମିନିଟ ମଧ୍ୟରେ ଦୋକାନୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ୨୦କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କୈଦ ହୋଇଯାଇଥିଲା। ଏହାକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତଗୁରୁବାର ସକାଳେ ଡେରାଦୁନର ରାଜପୁର ରୋଡସ୍ଥିତ ରିଲାଏନ୍ସ ଅଳଙ୍କାର ସୋ’ ରୁମ‌ରେ ବଡ଼ ଧରଣର ଡକାୟତି ହୋଇଥିଲା।  ଧନତେରାସ  ଥିବା ହେତୁ ଅଳଙ୍କାର ଦେକାନୀଙ୍କ ସମେତ କର୍ମଚାରୀମାନେ ଦୋକାନ ସଜାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ୪ଜଣ ଡକାୟତ ବନ୍ଧୁକ ଧରି ଦୋକାନ ଭିତରେ ପ୍ରବେଶ କରିଥିଲେ। ଏହାପରେ କିଛି କର୍ମଚାରୀଙ୍କୁ ସେମାନେ ବାନ୍ଧି ଦେଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ସୁରକ୍ଷାକର୍ମୀଙ୍କୁ କହିଥିଲେ,‘ ‌ଯଦି ଏ ବିଷୟରେ ତୁ ଏବେ ପୁଲିସକୁ ଜଣାଇବୁ ତୋ ଖପୁରୀ ଉଡ଼ାଇ ଦେବୁ।’ ଏହି ଘଟଣା ସମ୍ପର୍କରେ ଅଳଙ୍କାର ଦୋକାନୀ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଏଥିସହିତ ପ୍ରାଥମିକ ଅନୁସନ୍ଧାନରୁ ଏହି ଡକାୟତି ଘଟଣାରେ ବିହାର ସହିତ ଜଡ଼ିତ ଏକ ଗ୍ୟାଙ୍ଗର ସମ୍ପୃକ୍ତି ସାମ୍ନାକୁ ଆସିଛି।

Spread the love