ଏଏମ୍‌ଏନ୍‌ଏସ୍‌ ସହ ଚୁକ୍ତି ସ୍ବାକ୍ଷର: ଓଡ଼ିଶାରେ ହେବ ଖୋଖୋ ଏଚ୍‌ପିସି

ଭୁବନେଶ୍ବର: ଓଡ଼ିଶାରେ ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର (ଏଚ୍‌ପିସି)। ଏଥିଲାଗି ଗୁରୁବାର ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍‌ଏନ୍‌ଏସ୍‌ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ ଓଡ଼ିଶା ଭିତ୍ତିଭୂମି ଯୋଗାଇବାକୁ ଥିଲା ବେଳେ ରାଜ୍ୟରେ ଖୋଖୋ କ୍ରୀଡ଼ାର ଉନ୍ନତି ପାଇ ଏଏମ୍‌ଏନ୍‌ଏସ୍‌ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତ କରିବ। ଏହି ଏଚ୍‌ପିସି ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଖୋଖୋ ଭଳି ଦେଶୀୟ କ୍ରୀଡ଼ାକୁ ସମର୍ଥନ କରିବାକୁ ଚାହୁଛୁ। ଏଏମ୍‌ଏନ୍‌ଏସ୍‌ ସହଯୋଗରେ ଖୋଖୋ ଏଚ୍‌ପିସି ପ୍ରତିଷ୍ଠା ଭାରତୀୟ କ୍ରୀଡ଼ାର ଉନ୍ନତିରେ ସହଯୋଗ କରିବ’’। ସୂଚନାଯୋଗ୍ୟ ଯେ ଗତ ବର୍ଷ ପ୍ରଥମ ଥର ଲାଗି ଆୟୋଜିତ ଅଲ୍‌ଟିମେଟ୍‌ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ଜଗରନଟ୍ସ ବିଜେତା ହୋଇଥିଲା।

Spread the love