ଆସନ୍ତା ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ଆସନ୍ତା ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହା ବାତ୍ୟା ରୂପ ନେବା ସଂପର୍କରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଂଧ୍ୟା ବୁଲେଟିନରେ କୁହାଯାଇଛି ଯେ, ଏହି ଅବପାତ ପ୍ରଭାବରେ ଆସନ୍ତା ୧୫ ଓ ୧୬ ତାରିଖ ବେଳକୁ ଦକ୍ଷିଣ-ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୭ ତାରିଖ ବେଳକୁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ବେଳକୁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କନ୍ଧମାଳ, ବୌଦ୍ଧ, ମାଲକାନଗିରି,କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Spread the love