ଫସଲହାନି ସହି ନପାରି ଜୀବନ ହାରିଲେ ବଲାଙ୍ଗୀରର ଚାଷୀ

ବଲାଙ୍ଗୀର: ଫସଲହାନି ସହି ନପାରି ଜୀବନ ହାରିଲେ ଚାଷୀ। ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିଛି ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁବେଳ ଗ୍ରାମରୁ। ଏହା ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ରାଜ୍ୟ ସରକାରଙ୍କ କୃଷି ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଏପରିକି କୃଷି ସାଥୀ ବି ପହଞ୍ଚିନାହାନ୍ତି। ସୂଚନା ଅନୁଯାୟୀ, ଧାନ ଫସଲର ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ଗତକାଲି ବିଲରେ ବିଷ ପିଇଥିଲେ ଚାଷୀ ରମେଶ ଭୋଇ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମେଶ ଭୋଇ ୧୦ ଏକର ଚାଷ ଜମିରେ ଧାନ ଚାଷ କରିଥିଲେ। ଧାର କରଜ ଆଣି ଚାଷ କରିଥିବା ବେଳେ ଫସଲ ନଷ୍ଟ ହୋଇଯିବା କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି।

Spread the love