ଯମ ଦ୍ୱିତୀୟାରେ ଭଉଣୀ ଘରେ ମିଠା ଖାଇଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ପବିତ୍ର କାର୍ତ୍ତିକ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଅବସରରେ ଆଜି ଏକାମ୍ର କ୍ଷେତ୍ରରେ ଯମ ଦ୍ୱିତୀୟା ପାଳିତ ହୋଇଯାଇଛି। ଏହି ଅବସରରେ ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ମା’ କାମାକ୍ଷା ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଥିଲେ। ସେବାୟତଙ୍କ ଗହଣରେ ସୁସଜ୍ଜିତ ପାଲିଙ୍କିରେ ବସି ପ୍ରଭୁ ପ୍ରଥମେ ଯମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ପୁରାଣ ଅନୁସାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଧର୍ମରାଜ ଯମଙ୍କୁ ଦେଇଥିବା ବଚନ ରକ୍ଷା କରିବା ପାଇଁ ମା’ ପାର୍ବତୀ, ଦେବୀ ଭୁବନେଶ୍ୱରୀ ଓ ଶ୍ରୀବାସୁଦେବଙ୍କ ସହିତ ଯମେଶ୍ୱରଙ୍କ ଦେଉଳକୁ ବିଜେ କରନ୍ତି।

ସେଠାରେ ଆଳତି ବିଧି ସରିବା ପରେ ମହାପ୍ରଭୁ ଯମେଶ୍ୱର ଦେଉଳ ଜଗମୋହନକୁ ବିଜେ କରିଥିଲେ। ସେଠାରେ ପ୍ରଭୁ ଯମେଶ୍ୱରଙ୍କ ସହ ଭେଟ ଆଳତି ହୋଇଥିଲା ଏବଂ ଏହାପରେ ଯମେଶ୍ୱର ଦେଉଳରୁ ଶ୍ରୀଲିଙ୍ଗରାଜ ଭଉଣୀ ଦେବୀ ମା’ କାମାକ୍ଷୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବାହୁଡ଼ିଥିଲେ। ନିକଟସ୍ଥ ଭାରତୀ ମଠରେ ମା’ କାମାକ୍ଷାଙ୍କ ସହ ଭେଟ ଆଳତି ହୋଇଥିଲା। ଭଉଣୀ ଘରେ ବିଜେ କରିବା ପରେ ଶ୍ରୀଲିଙ୍ଗରାଜଙ୍କୁ ମିଠା ବ୍ୟଞ୍ଜନ ଅର୍ପଣ କରାଯାଇଥିଲା। ଏହାପରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ଯାତ୍ରା ଦେଖିବାକୁ ଆଜି ଶହଶହ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇ ଅପେକ୍ଷା କରିଥିଲେ।

Spread the love