୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ପାଲଟି ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ

ନୂଆଦିଲ୍ଲୀ: ସମ୍ପ୍ରତି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ର ହୋଇ ଘୂର୍ଣ୍ଣିଝଡ଼ ପାଲଟିବା ସହିତ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ସକାଳ ୮.୩୦ରେ ପ୍ରକାଶିତ ୬ ନମ୍ବର ‘ନ୍ୟାସ୍‌ନାଲ୍‌ ବୁଲେଟିନ୍‌’ରେ ଭାରତୀୟ ପାଣିପାଗ ବିଭାଗ କହିଛି, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୭ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଆଜି ସକାଳ ୮.୩୦ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ସ୍ଥଳଭାଗରୁ ହିସାବ କଲେ ଏହି ଅବପାତ ସମ୍ପ୍ରତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବ-ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର୍‌, ଓଡ଼ିଶାର ପାରଦୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ୩୨୦ କିଲୋମିଟର୍‌, ପଶ୍ଚିମବଙ୍ଗର ଦିଘାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୬୦ କିଲୋମିଟର୍‌ ଓ ବାଂଲାଦେଶର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୬୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ ରହିଛି।

ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିଶୀଳ ହେବା ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଉଗ୍ର ହୋଇ ଏହି ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ତା’ପରେ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା (ଅର୍ଥାତ୍‌ ୧୭ ତାରିଖ ରାତି) ଏହି ଘୂର୍ଣ୍ଣିଝଡ଼ ଘଣ୍ଟାପ୍ରତି ୭୫ କିଲୋମିଟର୍‌ ବେଗର ଝଟକା ସହିତ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର୍‌ ବତାସ ଆକାରରେ ମଙ୍ଗଳା ଓ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିପାରେ।

Spread the love