ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ ଡାକ୍ତରରୂପୀ ରାକ୍ଷସ

ନୂଆଦିଲ୍ଲୀ: ଦିନକୁ ଦିନ ନକଲି ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ନକଲି ଡାକ୍ତରମାନଙ୍କ କାରଣରୁ ଚିକିତ୍ସା ପରେ ଭଲ ହୋଇଯିବେ ବୋଲି ଆଶା ରଖି ଆସୁଥିବା ରୋଗୀଙ୍କ କିନ୍ତୁ ମୃତ୍ୟୁ ହୋଇଯାଇଥାଏ।ଏମିତି ଘଟଣା କ୍ରମାଗତ ଭାବେ ଘଟିଚାଲିଥିବା ବେଳେ ନିକଟରେ ଦକ୍ଷିଣଦିଲ୍ଲୀରୁ ସମାନ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶର ଏକ କ୍ଲିନିକରେ ଅସ୍ତ୍ରୋପଚାର ପରେ ଜଣେ ୪୫ବର୍ଷିୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଯାଞ୍ଚ କରି ୪ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ଗିରଫ ୪ଜଣ ନକଲି ଡାକ୍ତରଙ୍କ ନାମ ନିରଜ ଅଗ୍ରୱାଲ, ପୂଜା ଆଗ୍ରୱାଲ(ନିରଜ ଅଗ୍ରୱାଲଙ୍କ ସ୍ତ୍ରୀ),ଜସପ୍ରୀତ ଓ ଓଟି ଟେକ୍ନିସିଆନ ମହେନ୍ଦ୍ର ବୋଲି ଜଣାପଡ଼ିଛି।

ଗିରଫ ସମୟରେ ହସ୍ପିଟାଲରୁ ବ୍ୟାନ ହୋଇଥିବା କିଛି ଔଷଧ, ବ୍ୟବହାର ତାରିଖ ଶେଷ ହୋଇଯାଇଥିବା ସର୍ଜିକାଲ ବ୍ଲେଡ, ରୋଗୀଙ୍କ ପ୍ରେସକ୍ରିପସନ, ଅନେକ ବ୍ୟାଙ୍କର ୪୭ଟି ଚେକବୁକ, ୫୬ଟି ଏଟିଏମ କାର୍ଡ ସମେତ ୬ଟି କ୍ରେଡିଟ କାର୍ଡ ଜବତ କରାଯାଇଥିଲା। ଦିଲ୍ଲୀପୁଲିସ ସୂତ୍ରରୁ ପ୍ରକାଶ, ଏକ ଘରୋଇ ନର୍ସିଂ ହୋମରେ ‌କୌଣସି ଡିଗ୍ରି ନଥିବା ୪ଜଣ ଡାକ୍ତର ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରିବା ପୂର୍ବରୁ ହିଁ ଅସ୍ତ୍ରୋପଚାର ଜରୁରୀ ବୋଲି ସୂଚାଇ ଦେଇଥାଆନ୍ତି। ଏହାପରେ ରୋଗୀଙ୍କ ପରିବାରକୁ ମୋଟା ଅଙ୍କର ଟଙ୍କା ଜମା କରିବାକୁ କହିଥାଆନ୍ତି। ମୋଟାଅଙ୍କର ଟଙ୍କା ପାଇବା ପରେ ନକଲି ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଥାଆନ୍ତି। କିଛି ସମୟରେ ପରେ ଅସ୍ତ୍ରୋପଚାର ସମୟରେ ରକ୍ତଚାପ ବୃଦ୍ଧି ପାଇବା ହେତୁ ରୋଗୀଙ୍କ ମୃତ୍ୟୁ ହୋଇଗଲା ବୋଲି ପରିବାରଲୋକଙ୍କୁ ସୂଚନା ମୃତଦେହ ନେଇଯିବାକୁ କହିଥାଆନ୍ତି। ଏପରି ଭାବେ ୪ଜଣ ନକଲି ଡାକ୍ତର ରୋଗୀଙ୍କ ଜୀବନ ସହ ଖେଳି ନିଜର ବ୍ୟବସାୟ ଚଲାଇ ଆସିଥିଲେ।

Spread the love