ସେମିଫାଇନାଲ ମ୍ୟାଚ୍ ଦେଖିବା ପରିବର୍ତ୍ତେ ନିଜ ପୈତୃକ ଗାଁ ବୁଲିଲେ ଧୋନି

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଅର୍ଥାତ୍ ବିଶ୍ବ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି ରହିଛି । ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଦେଖିବା ପାଇଁ ବଲିଉଡର ଅନେକ କଳାକାର ଓ ଅନେକ ପୂର୍ବତନ କ୍ରିକେଟର ଷ୍ଟାଡିୟମରେ ପହଞ୍ଚିଥିଲେ। ହେ‌ଲେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଷ୍ଟାଡିୟମରେ ନଜର ଆସିନଥିଲେ। ଧୋନି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ଆସିବେ ବୋଲି ସମସ୍ତେ ଆଶା ରଖିଥିଲେ ବି ସେ ଷ୍ଟାଡିୟମ ଯାଇ ମ୍ୟାଚ୍ ଦେଖିନଥିଲେ। ଏଭଳି ଗୁରୁତ୍ବପୂର୍ଣ୍ଣ ଦିନରେ ଧୋନି କୁଆଡେ ଗଲେ ବୋଲି ତାଙ୍କ ପ୍ରଶଂସକ ଭାବୁଥିବା ବେଳେ ଏବେ ଏହାର ଉତ୍ତର ମିଳିଛି। ଧୋନିଙ୍କ ପତ୍ନୀ ସାକ୍ଷୀ କିଛି ଫଟୋ ଓ ଭିଡିଓ ସେୟାର କରିବା ପରେ ଜଣାପଡ଼ିଛି ଯେ, ବୁଧବାର ଧୋନି ଉତ୍ତରାଖଣ୍ଡ ଯାଇଥିଲେ। ସେଠାରେ ତାଙ୍କର ପୈତୃକ ଗାଁ ଥିବା ଜଣାପଡ଼ିଛି।

ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଥିବା ଲୱାଲି ଗାଁରେ ଧୋନିଙ୍କର ପୈତୃକ ଗାଁ ଥିବା ବେଳେ ସେଠାକୁ ଦୁହେଁ ବୁଲି ଯାଇଥିଲେ। ଏହି ସମୟର ଫଟୋ ଓ ଭିଡିଓ ସେୟାର କରି ସାକ୍ଷୀ ନିଜର ଖୁସି ଜାହିର କରିଛନ୍ତି।

Spread the love