ଡିଜିପି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ  ଅବସର ଗ୍ରହଣ କରୁଛନ୍ତି। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଶ୍ରୀ ବଂଶଲ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେଉଥିବା ସ୍ପଷ୍ଟ ହୋଇଛି।

ରାଜ୍ୟ ସରକାର ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ନୂଆବର୍ଷରେ ନୂଆ ପୁଲିସ ମୁଖିଆ ମିଳିବ ‌ବୋଲି ଆଶା କରାଯାଉଛି। ବର୍ତ୍ତମାନର ପୁଲିସ ଡ଼ିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ୩୧ ତାରିଖରେ ଶେଷ ହେବ। ତେବେ ନୂଆ ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ନୂଆ ପୁଲିସ ଡ଼ିଜି ପଦବୀ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ଏଥିରେ ବି ରାଧିକା, ଏ. ଏମ୍‌. ପ୍ରସାଦ, ୱାଇ.ବି ଖୁରାନିଆ, ଏସ୍‌ଏମ୍‌ ନରୱଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ସାମିଲ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସ‌େ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଓଡିଶାକୁ ଫେରି ଡିଜିପି ଦାୟିତ୍ବ ଗ୍ରହଣ କରିଥିଲେ। ଏହାରି ଭିତରେ ରାଜ୍ୟ‌ର ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଆସିଥିବାରୁ ଅନେକ ପ୍ରସଙ୍ଗରେ ତାଙ୍କୁ କଡ଼ା ଚ୍ୟାଲେଞ୍ଜର ସାମ୍ନା କରିବାକୁ  ପଡ଼ିଛି।

Spread the love