ଗଛ ଭାଙ୍ଗି ମୁଣ୍ଡରେ ପଡ଼ିଲା, ଏନ୍‌ଆଇଟି ଛାତ୍ର ଗୁରୁତର

ରାଉରକେଲା: ରାସ୍ତା କଡ଼ରେ ଥିବା ଗଛ ଡାଳ ପଡ଼ିବାରୁ ଜଣେ ଏନ୍‌ଆଇଟି ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ହେଉଛନ୍ତି ସେକ୍ଟର-୬, ଏଚ୍‌’ ବ୍ଲକର ପ୍ରଦ୍ୟୁମ୍ନ ବେହେରା(୨୨)। ସଂପ୍ରତି ସେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଚିକିତ୍ସାଧୀନ ଅଛନ୍ତି। ପ୍ରଦ୍ୟୁମ୍ନ ସ୍ଥାନୀୟ ଏନ୍‌ଆଇଟି ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଟେଲି କମ୍ୟୁନିକେସନ୍‌ର ଦ୍ବିତୀୟ ବର୍ଷରେ ଅଧ୍ୟୟନରତ। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସେ କଲେଜରୁ ଘରକୁ ଫେରୁଥିଲେ। ନିଜ ସାଇକଲରେ ସେକ୍ଟର-୨୦ ହିଲ୍‌ଟପ୍‌ରୁ ମାର୍କେଟ୍‌ ଅଞ୍ଚଳକୁ ଯାଇଥିବା ରାସ୍ତା ଯାଉଥିଲେ। ଏତିକିବେଳେ ହଠାତ୍‌ ରାସ୍ତା କଡ଼ରେ ଥିବା ଏକ ଗଛର ବଡ଼ ଡାଳଟି ଭାଙ୍ଗିଯାଇଥିଲା। ଡାଳଟି ଭାଙ୍ଗି ପ୍ରଥମେ ବିଦ୍ୟୁତ ତାର ଓ ପରେ ପ୍ରଦ୍ୟୁମ୍ନଙ୍କ ଉପରେ ପଡ଼ିଥିଲା। ଫଳରେ ତାଙ୍କର ମୁଣ୍ଡ, ଓଠ, ମୁହଁରେ ଆଘାତ ଲାଗିଛି। ଏହାସହ ସାଇକଲ ଦି’ ଖଣ୍ଡ ହୋଇଯାଇଛି। ଗଛ ଡାଳ ପଡ଼ିବାପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲା। ‌ଭର୍ତ୍ତି କରିବାର କିଛି ସମୟପରେ ପ୍ରଦ୍ୟୁମ୍ନ ଚେତା ଫେରିପାଇଥିଲେ। ଆସନ୍ତା ଗୁରୁବାରଠାରୁ ପ୍ରଦ୍ୟୁମ୍ନଙ୍କ ପରୀକ୍ଷା ଆରମ୍ଭ ହେବ। ଏଣୁ ଉକ୍ତ ପରୀକ୍ଷାକୁ ନେଇ ପ୍ରଦ୍ୟୁମ୍ନ ଚିନ୍ତିତ ଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ଗଛକୁ ଉଈ ଖାଇଯାଇଥିଲା। ତେବେ କୌଣସି କାରଣରୁ ଏହାକୁ ଆର୍‌ଏସ୍‌ପିର କୃଷି ଉଦ୍ୟାନ ବିଭାଗ ପକ୍ଷରୁ କଟାଯାଇନଥିଲା। କେବଳ ଏହି ଗୋଟିଏ ସ୍ଥାନ ନୁହେଁ; ବରଂ ସହରର ବିଭିନ୍ନ ଅଞ୍ଚଳ, ରିଂ ରୋଡ୍‌ କଡ଼ରେ ଏଭଳି ଏକାଧିକ ଗଛ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। କେଉଁଠି ଗଛ ମରି ଶୁଖିଲାପଡ଼ିଥିବାବେଳେ ଅନ୍ୟ କେଉଁଠି ପୋକ ଲାଗି ଫମ୍ପା ହୋଇସାରିଲାଣି। ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ନିୟମିତଭାବେ ଗଛ କଟାଯାଉନଥିବାରୁ ନିୟମିତ ବ୍ୟବଧାନରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି।
Spread the love