ରାୟଗଡ଼ାରେ ଡିସେମ୍ବର ୨୦ରୁ ଧାନ ମଣ୍ଡି ଆରମ୍ଭ

ରାୟଗଡା: ରାୟଗଡାସ୍ଥିତ ଡିଆରଡିଏ ସଭାଗୃହରେ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଡିସମ୍ବର ୨୦ ତାରିଖରୁ ଖରିଫ ମଣ୍ଡି ୨୦୨୩-୨୪ ପାଇଁ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ମଣ୍ଡିରେ ଚାଷୀଙ୍କ ଠାରୁ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୨୧୮୩ ଟଂକାରେ ଖରିଦ କରାଯିବ ଏବଂ ଏଫଏକ୍ୟୁ ଧାନକୁ କ୍ବିଣ୍ଟାଲ ପିଛା ୨୨୦୩ ଟଂକାରେ ଖରିଦ କରାଯିବ ବୋଲି କୁହାଯାଇଥିଲା। ଚଳିତ ୨୦୨୩-୨୪ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ୯,୫୩,୭୩୧ କ୍ବିଣ୍ଟାଲ ଧାନ ଜିଲ୍ଲାରୁ ଖରିଦ କରାଯିବ ବୋଲି କୁହାଯାଇଛି। ତେବେ ଏଥିରୁ ୬,୩୯,୦୦୦ କ୍ବିଣ୍ଟାଲ ଚାଉଳ ବାହାରିବ ବୋଲି କୁହାଯାଇଛି।ମଣ୍ଡିରେ ତହସିଲଦାରମାନେ ନୋଡାଲ ଅଫିସର ରହିବେ।ସବ ଡିଭିଜନ ସ୍ତରରେ ଟାସ୍କ ଫୋର୍ସ ଗଠନ କରାଯିବ।ଉପଜିଲ୍ଲାପାଳ ମୁଖ୍ୟ ରହିବା ସହ ଏସିଏସଓ, ଏମଆଇ, ଏଆରସିଏସ, ଆଇଏସମାନେ ତଦନ୍ତ ଦାୟୀତ୍ବରେ ରହିବେ ବୋଲି କୁହାଯାଇଛି।

ତେବେ ଜିଲ୍ଲାରେ ୨୨୬୮୩ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୬୫୭ ଜଣ ଫେକ ଚାଷୀ ବାହାରିବା ପରେ ୨୨୦୨୬ ଜଣ ଚାଷୀ ରହିଲେ।ଜିଲ୍ଲାରେ ରହିଥିବା ୧୪ଟି ଲ୍ୟାମ୍ପସ ମଧ୍ୟରୁ ବିଷମକଟକ ଲ୍ୟାମ୍ପସରେ ୨୬୫୦ ଜଣଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ଚନ୍ଦ୍ରପୁର ଲ୍ୟାମ୍ପସରେ ୨୬୭ ଜଣ, ଗୁଡାରୀ ଲ୍ୟାମ୍ପସରେ ୧୨୮୯, ଗୁଣୁପୁର ଲ୍ୟାମ୍ପସରେ ୨୯୪୪ ଜଣ, କଲ୍ୟାଣସିଂହପୁର ଲ୍ୟାମ୍ପସରେ ୨୨୬୯ ଜଣ, କାଶୀପୁର ଲ୍ୟାମ୍ପସରେ ୪୭୨ ଜଣ, ଟିକିରି ଲ୍ୟାମ୍ପସରେ ୪୨୩ ଜଣ, କୋଲନରା ଲ୍ୟାମ୍ପସରେ ୧୪୩୪ ଜଣ, ମୁନିଗୁଡା ଲ୍ୟାମ୍ପସରେ ୧୨୭୨ ଜଣ, ଅମ୍ବାଦୋଳା ଲ୍ୟାମ୍ପସରେ ୭୭୮ ଜଣ, ପଦ୍ମପର ଲ୍ୟାମ୍ପସରେ ୩୬୫୯ ଜଣ, ରାମନାଗୁଡା ଲ୍ୟାମ୍ପସରେ ୩୨୩୩ ଜଣ, ରାୟଗଡା ଲ୍ୟାମ୍ପସରେ ୯୯୮ ଜଣ, ରାୟଗଡା ଏମପିସିଏସରେ ୩୩୮ ଜଣ ଚାଷୀ ଧାନ ବିକ୍ରି କରିପାରିବେ ବୋଲି କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯୋଗାଣ ଅଧଇକାରୀ ସରୋଜ କୁମାର ସାହୁ, ଶୁଭଂସା ଭୋଇ, ଅତିରିକ୍ତ ଯୋଗାଣ ଅଧିକାରୀ ଦେବବ୍ରଜ ମହାପାତ୍ର ସମେତ ଜିଲ୍ଲାର ମିଲରମାନେ ଉପସ୍ଥିତ ଥିଲେ।

Spread the love